ଭୁବନେଶ୍ୱର(ଆମ ଟିଭି): ବାରମ୍ବାର ବିଧାନସଭା ମୁଲତବି । ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ୱାଭାବିକ ହୋଇପାରିନି ଗୃହକାର୍ୟ୍ୟ । ପ୍ରଥମ ଦିନ ୧୧ଟା ୩୦, ପରେ ୧୨ଟା ୩୦ ଏବଂ ପରବର୍ତ୍ତୀ ସମୟରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି । ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗକୁ ନେଇ ବିଜେପିର ହଟ୍ଟଗୋଳ ଓ ନାରାବାଜି ଫଳରେ ପୁଣିଥରେ ଗୃହକୁ ୪ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।
ବିଧାନସଭା ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଗୃହ ଆରମ୍ଭରୁ ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ବିଜେପି ସଦସ୍ୟ ଗୃହ ଭିତରେ ହଟ୍ଟଗୋଳ କରିଥିଲେ । ସେହିଭଳି ପରୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ନିଜ ଆସନରେ ଛିଡା ହୋଇ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲିପାରିନଥିଲା । ପ୍ରବଳ ହୋ ହଲ୍ଲା ପାଇଁ ଗୃହକାର୍ୟ୍ୟକୁ ପ୍ରଥମେ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଥିଲେ ବାଚସ୍ପତି ।