ହୋଲି ବେଳେ ଦେଶର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିବ

0

ନୂଆଦିଲ୍ଲୀ (ଆମ ଟିଭି): ହୋଲି ବେଳେ ଦେଶର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିବା ଆଶଙ୍କା ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ଅସ୍ବାଭାବିକ ସ୍ଥିତି ଉପୁଜିପାରେ ବୋଲି ତାପମାତ୍ରା ଉପରେ ୧୯୭୦ରୁ ବିଶ୍ଳେଷଣ କରୁଥିବା ଏକ ସଂସ୍ଥା ପକ୍ଷରୁ କୁହାଯାଇଛି। ବୈଜ୍ଞାନିକମାନଙ୍କ ସଂସ୍ଥା ‘କ୍ଲାଇମେଟ୍‌ ସେଣ୍ଟ୍ରାଲ’ ବୈଶ୍ୱିକ ପରିତାପନ ପରିପ୍ରେକ୍ଷୀରେ ଭାରତର ସ୍ଥିତି ଉପରେ ବିଶ୍ଳେଷଣ କରିଛନ୍ତି। ସେମାନଙ୍କ ମତରେ ମାର୍ଚ୍ଚ ଶେଷ ଭାଗରେ ଭାରତର ତାପମାତ୍ରାରେ ଅହେତୁକ ବୃଦ୍ଧି ଦେଖିବାକୁ ମିଳିବ। ବିଶେଷକରି ମହାରାଷ୍ଟ୍ର, ଛତିଶଗଡ଼ ଓ ବିହାରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ନେଇ ୫ ପ୍ରତିଶତରୁ ଅଧିକ ସମ୍ଭାବନା ରହିଛି। ରାଜସ୍ଥାନ, ଗୁଜରାଟ, ତେଲଙ୍ଗାନା, ମଧ୍ୟପ୍ରଦେଶ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ତାତି ବଢ଼ିପାରେ।

ଏହି ଗବେଷଣା ପାଇଁ ବୈଜ୍ଞାନିକମାନେ ୧୯୭୦ ମସିହାରୁ ଅଦ୍ୟାବଧି ମାର୍ଚ୍ଚ ଓ ଏପ୍ରିଲ ଭିତରେ ତାପମାତ୍ରା ହାର ମଧ୍ୟରେ ରହିଥିବା ତାରତମ୍ୟକୁ ଅନୁଧ୍ୟାନ କରିଥିଲେ। ସେମାନଙ୍କ ମତରେ ବର୍ତ୍ତମାନ ଭାରତରେ ଏପରି ୩୭ ସହର ରହିଛି, ଯେଉଁଠି ୪୦ ଡିଗ୍ରୀ ଉପରକୁ ତାପମାତ୍ରା ବଢ଼ିବା ନେଇ ଅନୂ୍ୟନ ୧% ଆଶଙ୍କା ଉପୁଜିଛି। ସେହିପରି ୧୧ ସହରରେ ୧୦% କିମ୍ବା ତଦୂର୍ଦ୍ଧ୍ୱ ଆଶଙ୍କା ରହିଛି। ମାର୍ଚ୍ଚ-ଏପ୍ରିଲରେ ସାରା ଦେଶରେ ତାତି ବଢ଼ିବ ବୋଲି କ୍ଲାଇମେଟ୍‌ ସେଣ୍ଟ୍ରାଲ ପକ୍ଷରୁ କୁହାଯାଇଛି। ଏହି ତାପମାତ୍ରା ବୃଦ୍ଧି ପାଇଁ କ୍ଲାଇମେଟ୍‌ ସେଣ୍ଟ୍ରାଲର ସାଇନ୍ସ ଭାଇସ୍‌ ପ୍ରେସିଡେଣ୍ଟ ଆଣ୍ଡ୍ର୍ୟୁ ପେର୍ଶିଂ ମାନବକୃତ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ସ୍କାଏମେଟ ଓ୍ବେଦରର ମେଟେରୋଲୋଜି ଆଣ୍ଡ୍‌ କ୍ଲାଇମେଟ୍‌ ଚେଞ୍ଜ ଭାଇସ୍‌ ପ୍ରେସିଡେଣ୍ଟ ମହେଶ ପାଲାଓ୍ବତ୍‌ କହିଛନ୍ତି, ଆଗକୁ ତାତି ବୃଦ୍ଧିର ଏହି ଧାରା ଜାରି ରହିବ। ଗ୍ରୀଷ୍ମଋତୁ ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ।

Leave A Reply

Your email address will not be published.