ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, କଂଗ୍ରେସ ନେତାଙ୍କ ଘରକୁ ବୋମା ମାଡ଼
ପଶ୍ଚିମବଙ୍ଗର ୪ ଲୋକସଭା ଆସନରେ ମଙ୍ଗଳବାର ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଘଟିଛି। ମୁର୍ଶିଦାବାଦ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳିର କିଛି ଅଞ୍ଚଳରେ ହିଂସା କାଣ୍ଡ ଘଟିଥିବା ଖବର ସାମ୍ନାକୁ ଆସିଛି।
ମୁର୍ଶିଦାବାଦ ଜିଲ୍ଲାର ଡୋମକଲର ଜଣେ କଂଗ୍ରେସ ନେତାଙ୍କ ଘର ଉପରକୁ ଟାର୍ଗେଟ କରି ବୋମାମାଡ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ସେପଟେ ଭୋଟିଂ ଆରମ୍ଭ ହେବା ପରେ ମୁର୍ଶିଦାବାଦ ଜିଲ୍ଲାର ରାଣୀନଗରରେ ମଧ୍ୟ ହିଂସା ହୋଇଥିବା ଖବର ସାମ୍ନାକୁ ଆସିଛି। ସିପିଏମ୍ର ଜଣେ ବୁଥ୍ ଏଜେଣ୍ଟଙ୍କୁ ଭୋଟିଂ ବୁଥ୍ ଭିତରୁ ବାହାରକୁ ଟାଣି ବାହାର କରି ଦିଆଯାଇଛି। ଶାକସ ତୃଣମୂଳ କଂଗ୍ରେସର କର୍ମୀମାନେ ତାଙ୍କୁ ଆକ୍ରମଣ କରିବା ପାଇଁ ପିଛା କରିବା ପରେ ସେ ଜୀବନ ଭୟରେ କଦଳି ବାଡ ଭିତରେ ଯାଇ ଲୁଚି ଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ସିପିଏମ୍ ରାଜ୍ୟ ସଚିବ ତଥା ମୁର୍ଶିଦାବାଦର ପ୍ରାର୍ଥୀ ମହମ୍ମଦ ସଲିମ୍ ବିଭିନ୍ନ ନିର୍ବଚନ ମଣ୍ଡଳିରେ ଦଳର କର୍ମୀ ଓ ଏଜେଣ୍ଟଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ କରିଛନ୍ତି।
ମାଲଦା ଦକ୍ଷିଣରୁ ବିଜେପି ପ୍ରାର୍ଥୀ ଶ୍ରୀରୁପା ମିତ୍ରା ଚୌଧୁରୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ତାଙ୍କର ଜଣେ ମହିଳା ବୁଥ ଏଜେଣ୍ଟଙ୍କୁ ମତଦାନ କେନ୍ଦ୍ରରୁ ଜବରଦସ୍ତି ବାହାର କରି ଦିଆଯାଇଥିବା ସେ ଅଭିଯୋଗ କହିଛନ୍ତି।