ରାଷ୍ଟ୍ରୀୟ ସଂଯୋଜକ ପଦରୁ ପୁତୁରାକୁ ହଟାଇଲେ ମାୟାବତୀ

0

ଗୁରୁ ଦାୟିତ୍ୱ ତୁଲାଇବାକୁ ପରିପକ୍ୱ ହୋଇ ନାହାନ୍ତି ଆକାଶ ଆନନ୍ଦ । ତେଣୁ ତାଙ୍କୁ ‘ବହୁଜନ ସମାଜବାଦୀ ପାର୍ଟି’ର ରାଷ୍ଟ୍ରୀୟ ସଂଯୋଜକ ପଦରୁ ହଟାଯାଉଛି। ’ ଏପରି ଘୋଷଣା ସହ ନିଜ ପୁତୁରାଙ୍କୁ ଦଳର ପ୍ରମୁଖ ପଦରୁ ହଟାଇ ଦେଇଛନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଏଥିସହ ସେ ତାଙ୍କୁ ନିଜ ରାଜନୈତିକ ଉତ୍ତରାଧିକାରୀ ପଦରୁ ବି ହଟାଇଛନ୍ତି ।

ଚଳିତ ସାଧାରଣ ନିର୍ବାଚନରେ ଆକାଶଙ୍କୁ ଗୁରୁ ଦାୟିତ୍ୱ ଦେଇ ମାୟାବତୀ ନିର୍ବାଚନୀ ବୈତରଣୀ ପାର୍‌ ହେବେ ବୋଲଇ ଆଲୋଚନା ହେଉଥିବା ବେଳେ ତାହା କିନ୍ତୁ ସମ୍ପୂର୍ଣ୍ଣ ଫଳପ୍ରଦ ହୋଇ ପାରିନି। ଦଳର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମାୟା କହିଛନ୍ତି ।

 

 

ଏନେଇ ମାୟାବତୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସୂଚନା ଦେଇ କହିଛନ୍ତି, ‘ବହୁଜନ ସମାଜବାଦୀ ପାର୍ଟି’ ଏକ ରାଜନୈତିକ ଦଳ ବ୍ୟତୀତ ରାଜନୈତିକ ପରିବର୍ତ୍ତନ ପାଇଁ ଏକ ଆନ୍ଦୋଳନ । ଏହି ଦଳ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ଆତ୍ମ ସମ୍ମାନ ଓ ଆତ୍ମ ସ୍ୱାଭିମାନକୁ ନେଇ ତିଷ୍ଠି ରହିଛି। ଏହି ବିଚାରଧାରାକୁ ବଜାୟ ରଖିବା ନିମନ୍ତେ କାଂଶୀରାମଜୀ ଏବଂ ମୁଁ ଆମର ସମଗ୍ର ଜୀବନ ଉତ୍ସର୍ଗ କରିଛୁ । ଏହି ଆନ୍ଦୋଳନକୁ ତ୍ୱରାନ୍ୱିତ କରିବା ନିମନ୍ତେ ପରବର୍ତ୍ତୀ ପିଢିକୁ ପ୍ରସ୍ତୁତ କରାଯାଉଛି ।’

ଏହି କ୍ରମରେ ଅନ୍ୟ ନେତାଙ୍କୁ ମଧ୍ୟ ନେତୃତ୍ୱ ଦେବା ପାଇଁ ଦଳରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆକାଶ ଆନନ୍ଦଙ୍କୁ ଦଳର ରାଷ୍ଟ୍ରୀୟ ସଂଯୋଜକ ଘୋଷଣା କରାଯାଇଥିଲା । ମାତ୍ର ଦଳର ଗୁରୁ ଦାୟିତ୍ୱ ତୁଲାଇବା ନିମନ୍ତେ ଆକାଶ ଏବେ ଯଥେଷ୍ଟ ପରିପକ୍ୱ ହୋଇ ନାହାନ୍ତି। ତେଣୁ ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତାଙ୍କୁ ଏହି ଦାୟିତ୍ୱରୁ ଅନ୍ତର କରାଯାଉଛି । ମାତ୍ର ଆକାଶଙ୍କ ପିତା ଆନନ୍ଦ କୁମାର ପୂର୍ବପରି ବହୁଜନ ସମାଜବାଦୀ ପାର୍ଟିର ସାଙ୍ଗଠନିକ ଦାୟିତ୍ୱ ବଜାୟ ରଖିବେ ବୋଲି କହିଛନ୍ତି ମାୟାବତୀ ।

Leave A Reply

Your email address will not be published.