ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି କୁଆଡେ ଗଲା? କନ୍ଧମାଳ ସଭାରୁ ବିଜେଡି ସରକାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ

0

ଭୁବନେଶ୍ୱର (ଆମ ଟିଭି): ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାରେ ଯୋଗ ଦେଇ ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବା ସହ ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି, ୭୦ ବର୍ଷ ପୂର୍ବେ ଶ୍ରୀମନ୍ଦିରକୁ ସୁରୁଖୁରରେ ପରିଚାଳନା ପାଇଁ ନିୟମ ଆସିଥିଲା ।ଶ୍ରୀମନ୍ଦିରରେ ଥିବା ସୁନା, ରୂପା, ଅଳଙ୍କାର, ମୋତି ମାଣିକର ସୂଚୀ ପ୍ରସ୍ତୁତ କରି ଏହାକୁ ରେକର୍ଡ କରି ରଖାଯାଇଥିଲା ।

ରତ୍ନଭଣ୍ଡାରର ଯାଞ୍ଚ ୪୫ ବର୍ଷ ପୂର୍ବେ ହୋଇଥିଲା । ସେତେବେଳେ ଏତେ ମାତ୍ରାରେ ମୂଲ୍ୟବାନ ରତ୍ନ, ଆଭୂଷଣ ଥିଲା ଯେ, ଏହାର ମୂଲ୍ୟାଙ୍କନ କରୁଥିବା ବ୍ୟକ୍ତି ଏହାକୁ ଅମୂଲ୍ୟ ବୋଲି କହିଥିଲେ । କିନ୍ତୁ ରତ୍ନଭଣ୍ଡାର ୪୦ ବର୍ଷ ହେବ ଖୋଲିନି । ଏବେ ରତ୍ନଭଣ୍ଡାରର ଚାବି ୬ ବର୍ଷ ହେବ ହଜି ଯାଇଛି । ରତ୍ନଭଣ୍ଡାରର ଚାବି ସମ୍ଭାଳିପାରିଲାନି ଏ ସରକାର, ଯେଉଁଥିପାଇଁ ଚାବି ହଜିଗଲା । ଓଡ଼ିଶାବାସୀ ଓ ଦେଶବାସୀଙ୍କୁ ଜାଣିବାର ଅଧିକାର ଅଛି ରତ୍ନଭଣ୍ଡାର ଚାବି କୁଆଡେ ଗଲା? ରାଜ୍ୟ ସରକାର କହୁଛନ୍ତି, ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିଛି । କିନ୍ତୁ ପ୍ରଶ୍ନ ଉଠୁଛି, ଡୁପ୍ଲିକେଟ ଚାବି କାହିଁକି ହେଲା? ଏହି ଚାବି ଜରିଆରେ ରାତିରେ କିଏ ରତ୍ନଭଣ୍ଡାର ଖୋଲୁଥିଲା? ଏହି ଡୁପ୍ଲିକେଟ ଚାବି ଜରିଆରେ ମହାପ୍ରଭୁଙ୍କ ଆଭୂଷଣ ଚୋରି ହେଉଥିଲା କି?

ମୋଦୀ କହିଛନ୍ତି, ଚାବି ହଜିଯିବା ଗମ୍ଭୀର ପ୍ରସଙ୍ଗ, କିନ୍ତୁ ଡୁପ୍ଲିକେଟ ଚାବି ମିଳିବା ଆହୁରି ଗମ୍ଭୀର ବିଷୟ । ଏ ବାବଦରେ ଯାଞ୍ଚ ପାଇଁ ଏକ କମିଟି ଗଠନ କରିଥିଲା । କିନ୍ତୁ କମିଟି ଦେଇଥିବା ରିପୋର୍ଟ ଏଯାଏଁ ସାର୍ବଜନୀନ କରାଯାଇନାହିଁ । ବିଜେଡି ସରକାର କାହିଁକି ଏହି ରିପୋର୍ଟ ସାର୍ବଜନୀନ କରୁନାହିଁ । କାହା ପାପ ଲୁଚାଇବାକୁ ବିଜେଡି ସରକାର ଏମିତି ପ୍ରୟାସ କରୁଛି । କିନ୍ତୁ ମୁଁ ପ୍ରତିଶ୍ରୁତି ଦେଉଛି, ରାଜ୍ୟରେ ବିଜେପି ସରକାର ଆସିବା ମାତ୍ରେ ରତ୍ନଭଣ୍ଡାରର ପାରଦର୍ଶିତା ଓ ପ୍ରତିଷ୍ଠାକୁ ପୁଣିଥରେ ସ୍ଥାପିତ କରାଯିବ । ଏହା ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନରେନ୍ଦ୍ର ମୋଦୀ ।

Leave A Reply

Your email address will not be published.