ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ –ମୁଖ୍ୟମନ୍ତ୍ରୀ
ବାଲେଶ୍ୱର : ଆଉ ରହିବନି ଭତ୍ତା ଚିନ୍ତା। ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ମଙ୍ଗଳବାର ଭତ୍ତା ବାଣ୍ଟିବା ପରେ ସମ୍ବୋଧନ ଧରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏପରି କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ, ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଗତ ସରକାର ସମୟରେ ଏହାକୁ ବନ୍ଦ କରାଯାଇଥିଲା। ଗତ ସରକାର ଜିଲ୍ଲାମାନଙ୍କ ପାଇଁ କୋଟା ବ୍ୟବସ୍ଥା କରିଥିଲେ। ଫଳରେ ଯୋଗ୍ୟ ହିତାଧିକାରୀ ହୋଇ ବି ଅପେକ୍ଷା କରି ରହିଥିଲେ। ଭ୍ୟାକେନ୍ସି ହେଲେ ଯାଇ ସେମାନଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା ଥିଲା। ଗୋଟିଏ ପଦ ଖାଲି ହେଲେ ଜଣଙ୍କୁ ସେହି ତାଲିକାରେ ଯୋଡ଼ା ଯାଉଥିଲା। ଆମ ସରକାର ଏପରି ଏକ ଅମାନବୀୟ ବ୍ୟବସ୍ଥା ଦୂର ପାଇଁ ନିଷ୍ପତ୍ତି ନେଲା। ଜଣଙ୍କୁ ମରଣକୁ ଆଉ ଜଣେ ଅପେକ୍ଷା କରି ରହିବା ଅମାନବୀୟ ବ୍ୟବସ୍ଥା ଥିଲା। ଆଜି ଠାରୁ ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏହା ଆମ ସରକାରଙ୍କ ପାଇଁ ଏହା ଐତିହାସିକ ନିଷ୍ପତ୍ତି। ପୂର୍ବରୁ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଭତ୍ତା ପାଉଥିଲେ। ଆଜି ଏହି ସଂଖ୍ୟା ବଢ଼ି ୪୧ ଲକ୍ଷ ୮୦ ହଜାର ୮୨୫ରେ ପହଞ୍ଚିଛି। ଏଥିସହ ଭତ୍ତା ପାଇବା ପାଇଁ ଅନଲାଇନ୍ରେ ବ୍ୟବସ୍ଥା କରାଯାଇଛି। ଆଜିଠାରୁ ୟୁପିଏମପି ପୋର୍ଟାଲରେ ଆବେଦନ କରି ସୁବିଧା ପାଇବେ। ଘରର କେହି ଲୋକ ବି ଜନସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିପାରିବେ।