ଭୁବନେଶ୍ଵର (ଆମ ଟିଭି): ବରଗଡରୁ ବିଜେପି ଉପରେ ବର୍ଷିଲେ ଭିକେ ପାଣ୍ଡିଆନ୍ । ସିଧା ସିଧା ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ୍ । ରବିବାର ବରଗଡରେ ନିର୍ବାଚନୀ ସଭା କରି ପାଣ୍ଡିଆନ୍ କହିଛନ୍ତି, ପ୍ରଧାନମନ୍ତ୍ରୀ ବରଗଡ ଆସିଥିଲେ, ବହୁତ ବଡ ବଡ କଥା କହିକି ଗଲେ । ହେଲେ ସମ୍ବଲପୁରୀ, କୋଷଳୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ୫ ବର୍ଷ ହେଲା ପ୍ରସ୍ତାବ ପଠାଉଛନ୍ତି, ହେଲେ ବିଜେପି ସରକାର କଣ କଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏଥିସହ ଏହି ଅଞ୍ଚଳର ଜୀବନଧାରା ହେଉଛି ମହାନଦୀ ପାଣି । ଯେତେବେଳେ ଛତିଶଗଡରେ ବିଜେପି ସରକାର ଥିଲା, କେନ୍ଦ୍ରରେ ବିଜେପି ସରକାର ଥିଲା । ସେତେବେଳେ ଦୁଇ ଜଣ ମିଶି ଓଡିଶା ବିରୋଧରେ କାମ କଲେ । ମହାନଦୀ ଉପରେ ବେଆଇନ୍ ଭାବେ ଆଡିବନ୍ଧ ଆଉ ଡ୍ୟାମ ନିର୍ମାଣ କଲେ । ସିଡବ୍ଲ୍ୟୁସି ମଧ୍ୟ ଛତିଶଗଡକୁ ସହଯୋଗ କଲେ । କେନ୍ଦ୍ରମନ୍ତ୍ରୀ ମଧ୍ୟ ଛତିଶଗଡକୁ ସପୋର୍ଟ କଲେ । ହେଲେ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ଗଲେ, ସୁପ୍ରିମକୋର୍ଟ ଯାଇ ମହାନଦୀ ଟ୍ରିବ୍ୟୁନାଲ ଇନଷ୍ଟିଚ୍ୟୁଟ୍ କରାଗଲା । ତା ପରେ ଛତିଶଗଡର ଡ୍ୟାମ ବନ୍ଦ କରାଗଲା ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ କହିଲେ ଧାନର ରେଟ୍ ବୃଦ୍ଧି କରିବେ । ହେଲେ ୧୦ ବର୍ଷ ଶୋଇଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍ । ନିର୍ବାଚନ ସମୟରେ ଚାଷୀର କଥା ମନେ ପଡିଲାନି କି? ଚାଷୀମାନେ ନୂଆଦିଲ୍ଲୀରେ ଆନ୍ଦୋଳନ କଲେ, ଏବେ ଇଲେକ୍ସନ ୧୦ ଦିନ ଥିଲାବେଳେ ଧାନର ରେଟ୍ ବଢାଇବାକୁ କହୁଛନ୍ତି । ବିଜେପି ଯେହେତୁ ବହୁତ ପରିମାଣରେ ହାରୁଛନ୍ତି, ସେଥିପାଇଁ ସେ ମିଛ କଥା କହୁଛନ୍ତି । ଚାଷୀ ଭାଇମାନଙ୍କୁ ଭୂଆଁ ବୁଲେଇବାକୁ ବିଜେପି ଚେଷ୍ଟା କରୁଛି ବୋଲି ପାଣ୍ଡିଆନ୍ କହିଛନ୍ତି ।