ନୂଆଦିଲ୍ଲୀ(ଆମ ଟିଭି): ବିହାରରେ ବର୍ଷାର ତାଣ୍ଡବ । ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ସହ ବଜ୍ରପାତ ହେବାରୁ ବିହାରର ୬ଟି ଜିଲ୍ଲାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ବଜ୍ରପାତରେ ଜୀବନ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତ ରାଶି ଯୋଗାଇ ଦେବା ନେଇ ଘୋଷଣା କରିଛନ୍ତି ।
ଗତ କିଛିଦିନ ଧରି ବିହାରର ଅନେକ ଅଂଚଳରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜି ମଧ୍ୟ ବିହାର ରେ ଆକାଶ ମେଘୁଆ ରହିବ ଓ ଥରେ କିମ୍ବା ଦୁଇଥର ବର୍ଷା ସହ ବଜ୍ରପାତ ମଧ୍ୟ ହେବ । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ସରନ, ପାଟଣା, ଭୋଜପୁର, ରୋହତାସ, ଜହାନାବାଦ, ଗୟା ଓ ନୱାଡା ଜିଲ୍ଲାର କିଛି ଅଂଚଳରେ ଅଳ୍ପ ବର୍ଷା ରହିବ ଏବଂ କିଛି ସ୍ଥାନରେ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସବୁ ଜିଲ୍ଲାମାନଙ୍କ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ ପୂର୍ବାନୁମାନ ଏଜେନ୍ସି ସ୍କାଏମେଟ ମତରେ, ଅନ୍ୟ ଅଂଚଳ ମାନଙ୍କ ତୁଳନାରେ ବିହାରର ଉତ୍ତର ଭାଗରେ ଅଧିକ ବର୍ଷା ହେବ । ଯେଉଁଥିରେ ଚମ୍ପାରଣ, ମଧୁବାଣୀ, ମୁଜାଫରପୁର, ଆରାରିଆ, ମାଧେପୁରା, ଫୋର୍ବସଗଂଞ୍ଜ, କିଶାନଗଞ୍ଜ,ପୂର୍ଣ୍ଣିଆ ଏବଂ ଦରଭଙ୍ଗାଠାରେ ପ୍ରବଳ ବର୍ଷା ଏବଂ ବନ୍ୟା ହେବାର ସମ୍ଭାବନା ରହିଛି । ବିହାରର ଅନ୍ୟ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ । ପରେ ଏହାର ମାତ୍ରାରେ ସାମାନ୍ୟ ହ୍ରାସ ଘଟିବ । ୭ ଓ ୮ ଜୁଲାଇରେ ବର୍ଷାର ପରିମାଣ କମିବ କିନ୍ତୁ ୯ ଜୁଲାଇଠାରୁ ବର୍ଷାର ପରିମାଣ ପୁଣିଥରେ ବଢିବ ।
ବିହାରରେ ହେଉଥିବା ବାରମ୍ବାର ବନ୍ୟା ପରିସ୍ଥିତିର ସମାଧାନ ପାଇଁ କେନ୍ଦ୍ର ସରକାର ଗଠନ କରିଥିବା ଏକ ଉଚ୍ଚ ସ୍ତରୀୟ କମିଟି ଶୁକ୍ରବାର ଦିନ ବିହାରର ଜଳ ସମ୍ପଦ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଅନ୍ୟ ବରିଷ୍ଠ ଅଧୀକାରୀଙ୍କ ସହ ବନ୍ୟା ପରିସ୍ଥିତି ବାବଦରେ ଆଲୋଚନା କରିଥିଲେ ।