ବନ୍ୟାରେ ପ୍ରଭାବିତ ହେଲେଣି ୪.୬୭ ଲୋକ : ଏସ୍ଆରସି
ଭୁବନେଶ୍ବର(ଆମ ଟିଭି): ବନ୍ୟା ପରିସ୍ଥିତି ନେଇ ସ୍ବତନ୍ତ୍ର ରିଲିଫ କମିସନର (ଏସଆରସି) ପ୍ରଦୀପ ଜେନା ବୁଧବାର ସନ୍ଧ୍ୟାରେ ବିସ୍ତୁତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମହାନଦୀର ମୁଣ୍ଡଳିରେ ବନ୍ୟଜଳସ୍ତର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ରାତି ପାହିଲା ବେଳକୁ ମୁଣ୍ଡଳିରେ ଜଳସ୍ତର ଆହୁରି କମିଯାଇଥିବ। ୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ ହୋଇସାରିଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପିକ୍ ଫ୍ଲଡ କମିଛି ।
ସେହିଭଳି ରାଜ୍ୟର ୬ଟି ସ୍ଥାନରେ ଘାଇ ସୃଷ୍ଟିି ହୋଇଛି । ଘଳିଆ ପଡିଥିବା ସ୍ଥାନକୁ ମରାମତି କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି ।ବନ୍ୟା ଯୋଗୁଁ ମହାନଦୀର ଜଳସ୍ତର ବଢ଼ୁଛି। ମହାନଦୀ ଓ ଶାଖା ନଦୀଗୁଡ଼ିକର ସ୍ଥିତି ଉଦବେଗଜନକ ରହିଛି। ନଇ ବଢିରେ ନୟାଗଡ, କଟକ, କେନ୍ଦ୍ରାପଡା, ଝାରସୁଗୁଡ଼ା ଓ ଜଗତସିଂହପୁର ଭଳି ଅନେକ ଜିଲ୍ଲା ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇ ଗ୍ରାମାଞ୍ଚଳରେ ପାଣି ପଶିଛି। ଡଙ୍ଗାକୁ ସାହାରା କରି ଲୋକେ ଯାତାୟତ କରୁଛନ୍ତି।
ନଦୀ ବନ୍ଧରେ ସୃଷ୍ଟି ହୋଇଥିବା ଛୋଟ ଛୋଟ ଘଳିଆ ଲୋକଙ୍କ ନିଦ ହଜାଇ ଦେଲାଣି। ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ଜଳକା, ଦେବୀ ନଦୀ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଲୋକଙ୍କ ପାଇଁ ମଟର ବୋଟର ବ୍ୟବସ୍ଥା କରିଛି ପ୍ରଶାସନ। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଛି ସ୍ଥାନାନ୍ତରଣ। ଶୁଖିଲା ଓ ରନ୍ଧା ଖାଦ୍ୟ ବନ୍ୟା ବିପନ୍ନଙ୍କୁ ଯୋଗାଇ ଦିଆଯାଉଛି। ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’, ବୋଲି ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରକୁ କାର୍ଯ୍ୟକାରୀ କରୁଛି ପ୍ରଶାସନ।