ପୁଣି ଡରାଇଲାଣି କରୋନା: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି
ପୁଣି ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା । ଗତ କେଇ ଘଣ୍ଟା ଭିତରେ ବଢିଲେଣି ୫ ସଂକ୍ରମଣ । ଗତକାଲି ସକାଳ ସୁଦ୍ଧା ୭ ଜଣ ଚିହ୍ନଟ ହୋଇଥିବା ବେଳେ ରାତି ସୁଦ୍ଧା ୯କୁ ବଢିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ଆଜି ସକାଳେ ଆଉ ୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ, ରାଜ୍ୟରେ ଏବେ କରୋନା ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥିତି ଚିନ୍ତାଜନକ ନୁହେଁ ବୋଲି ମତ ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ହେଲେ ବଢୁଥିବା ସଂକ୍ରମଣ ସଂଖ୍ୟା ଏବେ ପୁଣି ସତର୍କର ଘଣ୍ଟି ଦେଲାଣି ।
ଏହାରି ଭିତରେ ଶନିବାର ରାଜ୍ୟ ତାର ପ୍ରଥମ କରୋନା ମୃତ୍ୟୁ ରେକର୍ଡ କରିଛି । ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସହ ଗତି କରୁଥିବା ଭୁବନେଶ୍ବରର ଜଣେ ୮୫ ବର୍ଷୀୟ ବୃଦ୍ଧ ଗତ ୪ ଦିନ ତଳେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥାଏ। ଗତ କାଲି ତାଙ୍କ ବାସଭବନରେ ହିଁ ତାଙ୍କର ମୃତ୍ୟୁ ଘଟିଛି।
ସେପଟେ ଦେଶରେ ବି ପୁଣି ଥରେ କରୋନା ଭାଇରସ ମାମଲା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରବିବାର ସକାଳ ୮ଟା ସୁଦ୍ଧା, ଦେଶରେ କରୋନାର ସକ୍ରିୟ ମାମଲା ୩୭୫୮ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬୩ ଜଣ ନୂତନ ରୋଗୀଙ୍କ ମଧ୍ୟରେ କରୋନା ନିଶ୍ଚିତ ହୋଇଛି, ଯେତେବେଳେ ୧୮୧୮ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣାଟକରେ ଜଣେ ୬୩ ବର୍ଷୀୟ ବୃଦ୍ଧ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ଜଣେ ୨୪ ବର୍ଷୀୟ ମହିଳାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି। ତଥ୍ୟ ଅନୁଯାୟୀ, କେରଳରେ ସର୍ବାଧିକ ୧୪୦୦ ମାମଲା ପଞ୍ଜିକୃତ ହୋଇଛି । ସେହିପରି ମହାରାଷ୍ଟ୍ରରେ ୪୮୫ ଏବଂ ଦିଲ୍ଲୀରେ ୪୩୬ ସକ୍ରିୟ ମାମଲା ରହିଛି । ଏହା ବ୍ୟତୀତ, ଗୁଜରାଟରେ ୩୨୦, ପଶ୍ଚିମବଙ୍ଗରେ ୨୮୭ ଏବଂ କର୍ଣ୍ଣାଟକରେ ୨୩୮ ରୋଗୀ ଚିହ୍ନଟ ହୋଇଛନ୍ତି ।