ଭାରତ ଆସିବେ ମହାକାଶ ହିରୋ ଶୁଭାଂଶୁ ଶୁକ୍ଲା
ଲକ୍ଷ୍ନୌର ଗର୍ବ ଏବଂ ଦେଶର ମହାକାଶ ନାୟକ ଶୁଭାଂଶୁ ଶୁକ୍ଳା ଖୁବ୍ ଶୀଘ୍ର ଭାରତ ଫେରିବାକୁ ଯାଉଛନ୍ତି। ସେ ଅଗଷ୍ଟ ୧୭ରେ ଦିଲ୍ଲୀରେ ପହଞ୍ଚିବେ ଏବଂ ୨୫ରେ ଲକ୍ଷ୍ନୌ ଯିବେ। ସେ ଲକ୍ଷ୍ନୌ ଫେରୁଥିବା ଖବର ଆସିବା ମାତ୍ରେ ରାଜଧାନୀରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଶୁଭାଂଶୁଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଅଗଷ୍ଟ ୨୫ରେ ଲକ୍ଷ୍ନୌର ଗୋମତୀ ନଗରରେ ଅବସ୍ଥିତ ପ୍ରତିଷ୍ଠିତ ସିଟି ମୋଣ୍ଟେସୋରି ସ୍କୁଲ (ସିଏମଏସ)ରେ ତାଙ୍କ ସମ୍ମାନାର୍ଥେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଦିନ ବିମାନବନ୍ଦରରୁ ସ୍କୁଲ ପର୍ଯ୍ୟନ୍ତ ଏକ ବିଶାଳ ରାଲିର ଯୋଜନା କରାଯାଇଛି।
ଅଗଷ୍ଟ ୨୩ରେ ପାଳନ ହେବାକୁ ଥିବା ଦ୍ୱିତୀୟ ଜାତୀୟ ମହାକାଶ ଦିବସରେ ଶୁଭାଂଶୁ ଶୁକ୍ଳା ଦେଶବାସୀଙ୍କୁ ସମ୍ବୋଧିତ କରିବେ ବୋଲି ଜଣାଯାଇଛି। ଏହି ଅବସରରେ ସେ ତାଙ୍କର ଐତିହାସିକ ମହାକାଶ ମିଶନ ଏବଂ ଏହା ସହ ଜଡିତ ଅଭିଜ୍ଞତା ବାଣ୍ଟିବେ। ଶୁଭାଂଶୁଙ୍କୁ ନେଇ ସାରା ଦେଶର ଛାତ୍ର ଏବଂ ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ତାଙ୍କୁ ଭାରତର ଯୁବ ବୈଜ୍ଞାନିକ ଏବଂ ମହାକାଶଚାରୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ଭାବରେ ବିବେଚନା କରାଯାଉଛି।
ଭାରତ ଫେରିବା ପୂର୍ବରୁ ଶୁଭାଂଶୁ ଶୁକ୍ଳା ଇନଷ୍ଟାଗ୍ରାମରେ ବିମାନରେ ବସିଥିବାର ଏକ ଫଟୋ ସେୟାର କରିଛନ୍ତି, ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ଭାରତ ଫେରିବା ପାଇଁ ବିମାନରେ ବସିବା ମାତ୍ରେ ମୋ ହୃଦୟରେ ଅନେକ ଭାବନା ଆସିବାରେ ଲାଗିଛି। ମୁଁ ଆପଣମାନଙ୍କ ସହିତ ମୋର ଅଭିଜ୍ଞତା ବାଣ୍ଟିବାକୁ ଉତ୍ସାହର ସହିତ ଅପେକ୍ଷା କରିଛି। ବିଦାୟ ସର୍ବଦା କଷ୍ଟକର। କିନ୍ତୁ ଜୀବନରେ ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ।’