ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ୍ ପରେ ଏବେ ଦେଶରେ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ସେବା ଆରମ୍ଭ ହୋଇଛି। ଏହି ହାଇ-ଟେକ୍ ଟ୍ରେନ୍ରେ ଯାତ୍ରୀମାନଙ୍କୁ ଅନେକ ଆଧୁନିକ ସୁବିଧା ମିଳୁଥିବା ବେଳେ, ଏବେ ଖାଦ୍ୟ ବ୍ୟବସ୍ଥାକୁ ନେଇ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି।ଦେଶରେ ପ୍ରଥମେ ହାୱଡାରୁ କାମାକ୍ଷା ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ରେ, ପୂର୍ବ ସଂସ୍କରଣ ତୁଳନାରେ ଖାଇବା ବିକଳ୍ପଗୁଡ଼ିକୁ ଯଥେଷ୍ଟ ଉନ୍ନତ କରାଯାଇଛି।
ନିରାମିଷ ସହ ଏବେ ମିଳିବ ଆମିଷ ଖାଦ୍ୟ
ଏପର୍ଯ୍ୟନ୍ତ ଏହି ଟ୍ରେନ୍ରେ କେବଳ ନିରାମିଷ ଖାଦ୍ୟ ଯୋଗାଯାଉଥିଲା। ଫଳରେ ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟର ଆମିଷପ୍ରିୟ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ନେଇ ରାଜନୈତିକ ବିତର୍କ ମଧ୍ୟ ଦେଖାଦେଇଥିଲା।
ଯାତ୍ରୀଙ୍କ ପ୍ରତିକ୍ରିୟା ଓ ଆଞ୍ଚଳିକ ସଂସ୍କୃତିକୁ ଦୃଷ୍ଟିରେ ରଖି ରେଳବାଇ ମେନୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏବେ ମେନୁରେ ଆମିଷ ଖାଦ୍ୟକୁ ସାମିଲ କରାଯାଇଛି।

ଟିକେଟ୍ ବୁକିଂ ସମୟରେ ବାଛିପାରିବେ ମେନୁ
ଫେବୃଆରୀ ୧ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଥିଲେ ଯେ, ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ରେ ଯାତ୍ରୀମାନଙ୍କୁ ନିରାମିଷ ଓ ଆମିଷ ଦୁଇଟି ବିକଳ୍ପ ଦିଆଯିବ।ଯାତ୍ରୀମାନେ ଟିକେଟ୍ ବୁକ୍ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ମେନୁ ବାଛିପାରିବେ।
ମେନୁରେ କଣ ରହିବ?
ନିରାମିଷରେ ପନିର ମସଲା ସହ ଆମିଷରେ ଚିକେନ, ମାଛ ଓ ଅଣ୍ଡା ରହିବ। ଖାଦ୍ୟଗୁଡ଼ିକ ବଙ୍ଗାଳୀ ଓ ଆସାମୀ ସ୍ୱାଦ ଅନୁଯାୟୀ ପ୍ରସ୍ତୁତ କରାଯିବ।ଏହା ସହ ପ୍ଲେଟର ଅନ୍ୟାନ୍ୟ ମେନୁ ସମାନ ରହିବ, ଯେଉଁଥିରେଜିରା କର୍ନ୍ନ ପୁଲାଓ, ତେହର ପରଟା, ମିଶ୍ରିତ ଡାଲ, ଆସାମୀ ଶୈଳୀର ବିନ୍ସ ଓ ମିଠା ପାଇଁ ରସଗୋଲା ସାମିଲ ରହିବ।
ଏହି ନୂଆ ବ୍ୟବସ୍ଥା ଦ୍ୱାରା ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀମାନେ ଅଧିକ ସୁବିଧା ଓ ସନ୍ତୁଷ୍ଟି ପାଇବେ ବୋଲି ରେଳବାଇ ଆଶା ପ୍ରକାଶ କରିଛି।