ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ, ୧.୫ କୋଟି ସହ ପାସପୋର୍ଟ ଜମା
ଦିଲ୍ଲୀ ହାଇକୋର୍ଟରୁ ରାଜପାଲ ଯାଦବଙ୍କୁ ମିଳିଲା ଜାମିନ । ହାଇକୋର୍ଟ ରାଜପାଲ ଯାଦବଙ୍କ ଓକିଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ୧.୫ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରିବାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି ସମୟ ମଧ୍ୟରେ ରାଜପାଲ କୋର୍ଟରେ ୧.୫କୋଟି ଟଙ୍କା ଜମା କରିଛନ୍ତି ।
କୋର୍ଟ କହିଥିଲେ ଯେ, ସେ ଆଜି ଅପରାହ୍ନ ୩ଟା ସୁଦ୍ଧା ଡିମାଣ୍ଡ ଡ୍ରାଫ୍ଟ ଦାଖଲ କରନ୍ତି, ତେବେ ତାଙ୍କୁ ଜାମିନ ପ୍ରଦାନ କରାଯିବ । ଯଦି ବିଫଳ ହୋଇଥାନ୍ତା, ତେବେ ମାମଲାର ପରବର୍ତ୍ତୀ ନିଷ୍ପତ୍ତି ଫେବୃଆରୀ ୧୭ ତାରିଖରେ ଘୋଷଣା କରାଯିବ । ତଥାପି ଅଭିନେତା ଆଜି ଡିଡି ଦାଖଲ କରିଛନ୍ତି ଏବଂ ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୮ ତାରିଖରେ ଧାର୍ଯ୍ୟ କରାଯାଇଛି । ରାଜପାଲଙ୍କ ଜାମିନ ଆବେଦନ ତାଙ୍କ ଭାଣେଜିଙ୍କ ବିବାହରେ ଯୋଗଦେବା ପାଇଁ ଦାଖଲ କରାଯାଇଥିଲା, ଯାହା ଫେବୃଆରୀ ୧୯ ତାରିଖରେ ହେବାକୁ ଯାଉଛି।
୧୬ ବର୍ଷ ପୁରୁଣା ଚେକ୍ ବାଉନ୍ସ ମାମଲା ଯୋଗୁଁ ରାଜପାଲ ଯାଦବ ଜେଲରେ ଥିଲେ । ଅଭିନେତାଙ୍କୁ ୫ ତାରିଖରେ ଦିଲ୍ଲୀର ତିହାର ଜେଲରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରାଯାଇଥିଲା, ଯାହା ପରେ ସେ ଜାମିନ ଆବେଦନ କରିଥିଲେ ।
୯ କୋଟି ଟଙ୍କା ଚେକ୍ ବାଉନ୍ସ ମାମଲାରେ ତିହାର ଜେଲରେ ରହିଥିଲେ ରାଜପାଲ । ଜେଲ ହେବା ପରେ ରାଜପାଲ ଯାଦବଙ୍କୁ ବଲିଉଡରୁ ଅନେକ ସହାୟତା ମିଳିଥିଲା । ସଲମାନ ଖାନ, ସୋନୁ ସୁଦ, ଅଜୟ ଦେବଗନ, ଗୁରୁମିତ ଚୌଧୁରୀ, ରାଜନେତା ତେଜ ପ୍ରତାପ ଯାଦବ ମଧ୍ୟ ସହାୟତା କରିଥିଲେ ।