ସାଧାରଣତଃ ଆମେ ଡାଳିମ୍ବ ଖାଇ ସାରିଲେ ଏହାର ଚୋପାକୁ ଫିଙ୍ଗି ଦେଇଥାଉ । କିନ୍ତୁ ଅନେକେ ଜାଣିନାହାନ୍ତି ଯେ ଡାଳିମ୍ବ ଚୋପା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଏହାର ଚୋପାରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ମୋଟାପଣ କମିଥାଏ ଏବଂ ଶରୀରରେ ବଢ଼ିଥିବା କୋଲେଷ୍ଟ୍ରଲକୁ ମଧ୍ୟ ହ୍ରାସ କରିପାରେ । ଏହା ସହ ତ୍ୱଚା ପାଇଁ ମଧ୍ୟ ଏହା ଉପକାରୀ ବୋଲି ମନେ କରାଯାଏ ।ତେବେ ଆଜି ଜାଣିବା ଡାଳିମ୍ବ ଚୋପାର ଉପକାରିତା …..
ଡାଳିମ୍ବ ଚୋପାରୁ ଚା’ କିପରି ପ୍ରସ୍ତୁତ କରିବେ
ଡାଳିମ୍ବ ଚୋପାକୁ ପ୍ରଥମେ ସଫା ପାଣିରେ ଭଲ ଭାବରେ ଧୋଇନିଅନ୍ତୁ । ପରେ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଖରାରେ ଭଲ ଭାବରେ ଶୁଖାନ୍ତୁ । ଚୋପା ସଂପୂର୍ଣ୍ଣ ଶୁଖିଗଲେ ଏହାକୁ ଗ୍ରାଇଣ୍ଡରରେ ପିସି ପାଉଡର ତିଆରି କରନ୍ତୁ ଏବଂ ଏକ ଡବାରେ ସଂରକ୍ଷଣ କରନ୍ତୁ ।ଚା’ ତିଆରି କରିବାବେଳେ ପାଣିକୁ ଫୁଟାଇ ସେଥିରେ ଏହି ପାଉଡର ଅଳ୍ପ ପରିମାଣରେ ପକାନ୍ତୁ । କିଛି ସମୟ ଫୁଟାଇବା ପରେ ସେଥିରେ ମହୁ ଏବଂ ଲେମ୍ବୁ ରସ ମିଶାନ୍ତୁ । ପରେ ଏହାକୁ ଛାଣି ଗରମ ଗରମ ଚା’ ପରି ପିଇପାରିବେ ।
ଡାଳିମ୍ବ ଚୋପାର ଉପକାରିତା
ହୃଦୟକୁ ସୁସ୍ଥ ରଖେ
ଡାଳିମ୍ବ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଭଲ ପରିମାଣରେ ଥାଏ । ଏହା କୋଲେଷ୍ଟ୍ରଲ କମାଇ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ଏବଂ ହୃଦଘାତର ଆଶଙ୍କାକୁ କମାଏ ।
ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ
ଡାଳିମ୍ବରେ ଭିଟାମିନ୍ ଓ ପଲିଫେନୋଲ୍ସ ଭଳି ପୋଷକ ତତ୍ତ୍ୱ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିଥାଏ । ଏହି ଚା’ ପିଇବା ଦ୍ୱାରା ଶରୀର ଅନେକ ରୋଗରୁ ସୁରକ୍ଷିତ ରହିପାରେ ।
ଓଜନ କମାଇବାରେ ସାହାଯ୍ୟ କରେ
ଡାଳିମ୍ବ ଚୋପା ଚା’ ଓଜନ ହ୍ରାସ ପାଇଁ ମଧ୍ୟ ଲାଭଦାୟକ । ଯେମାନେ ମେଦବହୁଳତାର ସମସ୍ୟାରେ ଭୁଗୁଛନ୍ତି ସେମାନେ ଦିନକୁ ଥରେ ଏହି ଚା’ ପିଇଲେ ଶରୀରରେ ଜମା ହୋଇଥିବା ଅତିରିକ୍ତ ଫ୍ୟାଟ୍ କମିପାରେ ।
ଆଲଜାଇମର ବିପଦ କମାଏ
ଡାଳିମ୍ବ ଚୋପାରେ ଥିବା କିଛି ବିଶେଷ ତତ୍ୱ ମସ୍ତିଷ୍କ ସମ୍ବନ୍ଧୀୟ ରୋଗର ବିପଦକୁ କମାଇପାରେ । ଅଧ୍ୟୟନରୁ ଜଣାପଡିଛି ଯେ ଏଥିରେ ଆଣ୍ଟି-ନ୍ୟୁରୋଡିଜେନେରେଟିଭ୍ ଗୁଣ ରହିଛି, ଯାହା ଆଲଜାଇମର ପରି ରୋଗର ଆଶଙ୍କା କମାଇବାରେ ସହାୟକ ।
ସେହିପରି, ଡାଳିମ୍ବ ମଞ୍ଜି ମାତ୍ର ନୁହେଁ, ଏହାର ଚୋପା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । ଏହାକୁ ଫିଙ୍ଗିଦେବା ପରିବର୍ତ୍ତେ ଚା’ ଭାବେ ବ୍ୟବହାର କରିଲେ ଅନେକ ଲାଭ ମିଳିପାରେ ।