ହିନ୍ଦୁ ଧର୍ମର ଅତ୍ୟନ୍ତ ପବିତ୍ର ଓ ଆଧ୍ୟାତ୍ମିକ ପର୍ବ ହେଉଛି ଚୈତ୍ର ନବରାତ୍ରୀ। ପ୍ରତିବର୍ଷ ଚୈତ୍ର ମାସର ଶୁକ୍ଳପକ୍ଷ ପ୍ରତିପଦ ତିଥିରୁ ଏହି ପର୍ବର ଆରମ୍ଭ ହୋଇଥାଏ ଏବଂ ନବମୀ ପର୍ଯ୍ୟନ୍ତ ମା’ ଦୁର୍ଗାଙ୍କ ନବଟି ରୂପର ଆରାଧନା କରାଯାଏ।ଚଳିତ ବର୍ଷ ମାର୍ଚ୍ଚ ୧୯ ତାରିଖ ଗୁରୁବାର ଠାରୁ ଚୈତ୍ର ନବରାତ୍ରୀ ଆରମ୍ଭ ହେବ। ମାର୍ଚ୍ଚ ୨୭ ତାରିଖରେ ମହାନବମୀ ସହ କନ୍ୟା ପୂଜନ କରାଯିବ ଓ ମାର୍ଚ୍ଚ ୨୮ ତାରିଖରେ ପାରଣ ହେବ। ଏହି ୯ ଦିନ ଭକ୍ତମାନେ ଉପବାସ, ଯଜ୍ଞ, ଜପ ଓ ପୂଜାରେ ଲିନ ରହି ମା’ଙ୍କ ଆଶୀର୍ବାଦ ଲାଭ ପାଇଁ ପ୍ରାର୍ଥନା କରିଥାନ୍ତି।
ପାରମ୍ପରିକ ଧାର୍ମିକ ମାନ୍ୟତା ଅନୁଯାୟୀ, ନବରାତ୍ରୀ କେଉଁ ବାରରୁ ଆରମ୍ଭ ହେଉଛି ତାହା ଅନୁଯାୟୀ ମା’ଙ୍କ ଆଗମନ ବାହାନ ନିର୍ଣ୍ଣୟ ହୁଏ। ଏଥର ଗୁରୁବାରରୁ ନବରାତ୍ରୀ ଆରମ୍ଭ ହେଉଥିବାରୁ ମା’ ପାଲିଙ୍କି ବାହାନରେ ଆଗମନ କରିବେ ବୋଲି ବିଶ୍ୱାସ ରହିଛି। ପୁରାଣ ଓ ଶାସ୍ତ୍ର ଅନୁସାରେ, ମା’ଙ୍କ ପାଲିଙ୍କି ବାହାନରେ ଆଗମନକୁ କେତେକ ସମୟରେ ଅଶୁଭ ସଙ୍କେତ ଭାବରେ ମନାଯାଏ। ଏହା ଦେଶରେ ରୋଗବ୍ୟାଧି ବୃଦ୍ଧି, ସାମାଜିକ ଅଶାନ୍ତି କିମ୍ବା ଅର୍ଥନୈତିକ ଚାପ ବଢ଼ିବାର ସଙ୍କେତ ଭାବେ ବିବେଚନା କରାଯାଏ।ତଥାପି ଏହା ପୁରାତନ ପରମ୍ପରା ଓ ଆସ୍ଥାର ଅଂଶ ମାତ୍ର। ଅନ୍ୟପଟେ ନବରାତ୍ରୀର ଶେଷ ଦିନ ଶୁକ୍ରବାର ପଡୁଥିବାରୁ ମା’ ହାତୀ ବାହାନରେ ପ୍ରସ୍ଥାନ କରିବେ ବୋଲି ମାନ୍ୟତା ରହିଛି। ହାତୀ ବାହାନକୁ ପ୍ରବଳ ବର୍ଷା, କୃଷିର ଉନ୍ନତି ଓ ଦେଶର ସମୃଦ୍ଧିର ପ୍ରତୀକ ଭାବେ ଦେଖାଯାଏ।
ଚୈତ୍ର ନବରାତ୍ରୀ ସମୟରେ ପ୍ରଥମ ଦିନ ମା’ ଶୈଳୀପୁତ୍ରୀଙ୍କ ଘଟସ୍ଥାପନା ସହ ପୂଜା ଆରମ୍ଭ ହୁଏ। ପରେ କ୍ରମେ ମା’ ବ୍ରହ୍ମଚାରିଣୀ, ମା’ ଚନ୍ଦ୍ରଘଣ୍ଟା, ମା’ କୁଷ୍ମାଣ୍ଡା, ମା’ ସ୍କନ୍ଦମାତା, ମା’ କାତ୍ୟାୟିନୀ, ମା’ କାଳରାତ୍ରୀ, ମା’ ମହାଗୌରୀ ଓ ଶେଷ ଦିନ ମା’ ସିଦ୍ଧିଦାତ୍ରୀଙ୍କ ପୂଜା କରାଯାଏ।ଭକ୍ତମାନେ ଏହି ପବିତ୍ର ଦିନଗୁଡିକରେ ମନୋକାମନା ପୂରଣ ଓ ଶାନ୍ତି-ସମୃଦ୍ଧି ପାଇଁ ମା’ଙ୍କ ଆଶୀର୍ବାଦ ଲାଭ କରିଥାନ୍ତି। ଦେଶବ୍ୟାପୀ ମନ୍ଦିର ଓ ଘରେ ଘରେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।