ଭୁବନେଶ୍ବର (ଆମ ଟିଭି): ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ସମସ୍ତ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ୪ ପୃଷ୍ଠାର ଚିଠି ଲେଖି ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟ କଥା ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ସୁଭଦ୍ରା ଯୋଜନାର ସଫଳତା, ମାଓ ଦମନରେ ଓଡ଼ିଶାର ସଫଳତାକୁ ମଧ୍ୟ ପ୍ରଶଂସା ଓ ବିଜୁ ବାବୁଙ୍କ ସାହାସିକତାକୁ ବି ଭୁରିଭୁରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିଠିରେ ଲେଖିଛନ୍ତି ଓଡ଼ିଶା, ଏହାର ଗୌରବଶାଳୀ ଇତିହାସ ଏବଂ ଏହି ଅସାଧାରଣ ରାଜ୍ୟର ଲୋକମାନଙ୍କୁ ଦେଖିଲେ ଯେକୌଣସି ବ୍ୟକ୍ତି ଚକିତ ହୋଇଯିବ । ଓଡ଼ିଆ ସଂସ୍କୃତି ଏକ ସଭ୍ୟତାଗତ ଐତିହ୍ୟ ।
ଓଡ଼ିଶାରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବା ଭଳି ଶକ୍ତି ରହିଛି । ସର୍ବୋପରି, ଏଠାରେ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଏପରି ଅନେକ ପ୍ରତିଷ୍ଠିତ ସ୍ଥଳୀ ନିର୍ମାଣ କରାଯାଇଛି, ଯାହା ଆଜି ମଧ୍ୟ ସଗୌରବେ ଦଣ୍ଡାୟମାନ । ସାରା ରାଜ୍ୟରେ ଦେବୀ ମା’ଙ୍କୁ ସମର୍ପିତ ଅନେକ ମନ୍ଦିର ଅଛି । ଓଡ଼ିଶାରେ ଭକ୍ତି ଏବଂ କଳାତ୍ମକ ଉତ୍କର୍ଷର ଅଦ୍ଭୁତ ସଂଗମ ଦେଖିବାକୁ ମିଳିଥାଏ । ଭାରତ ସମେତ ସାରା ବିଶ୍ବରେ ଓଡ଼ିଶୀ ନୃତ୍ୟ ଅତ୍ୟନ୍ତ ଲୋକପ୍ରିୟତା ଅର୍ଜନ କରିଛି । ରାଜ୍ୟର ସମୃଦ୍ଧ ସଙ୍ଗୀତ ପରମ୍ପରା, ପର୍ବପର୍ବାଣୀ ଏବଂ ଲୋକପ୍ରଥା ଗୁଡ଼ିକ ଏପରି ଏକ ସମାଜକୁ ପ୍ରତିଫଳିତ କରିଥା’ନ୍ତି ଯାହା ନିଜର ଆଧ୍ୟାତ୍ମିକ ମୂଳଦୁଆ ସହିତ ଗଭୀର ଭାବେ ଜଡ଼ିତ । ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ମଧ୍ୟ ରାଜ୍ୟରେ ଏକ ଅନନ୍ୟ ବୈଶିଷ୍ଟ୍ୟ ଯୋଡ଼ିଛନ୍ତି । ଓଡ଼ିଶାର ଅସାଧାରଣ ଶିଳ୍ପକଳା ମଧ୍ଯ ଉଲ୍ଲେଖନୀୟ । ଅତ୍ୟନ୍ତ ସଜୀବ ପଟ୍ଟଚିତ୍ର କଳା ଏହାର ଏକ ଉଦାହରଣ ।
ମୁଁ ପୂର୍ଣ୍ଣ ବିଶ୍ବାସର ସହିତ କହିପାରେ ଯେ ଓଡ଼ିଶାର ବାସ୍ତବ ମହାନତା ଏହାର ଲୋକମାନଙ୍କ ପାଖରେ ରହିଛି । ବକ୍ସି ଜଗବନ୍ଧୁ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ସାହସ ବିଷୟରେ ତ’ ସମସ୍ତେ ଜାଣନ୍ତି । ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ, ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ହରେକୃଷ୍ଣ ମହତାବ, ମାଳତୀ ଚୌଧୁରୀ, ସରଳା ଦେବୀ, ପାର୍ବତୀ ଗିରି ଏବଂ ଏପରି ଅଗଣିତ ମହାପୁରୁଷ ଆମ ଇତିହାସରେ ଏକ ଅଲିଭା ସ୍ବାକ୍ଷର ଛାଡ଼ି ଯାଇଛନ୍ତି । ଏହି ମାଟିରେ ବିଜୁ ପଟ୍ଟନାୟକଙ୍କ ଭଳି ମହାନ ବ୍ୟକ୍ତିତ୍ଵ ଜନ୍ମ ନେଇଥିଲେ । ତାଙ୍କର ଜୀବନ ଅସାଧାରଣ ଶକ୍ତି, ସାହସ ଏବଂ ଦେଶ ଗଠନ ପାଇଁ ଅତୁଟ ସମର୍ପଣର ପ୍ରତୀକ । ବିଜୁ ବାବୁଙ୍କ ବହୁମୁଖୀ ବ୍ୟକ୍ତିତ୍ବ ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିଥାଏ ।
ମୋଦି ଆଉ ମଧ୍ୟ କହିଛନ୍ତି ଓଡ଼ିଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ ଦେଶ ପ୍ରତି ସମୃଦ୍ଧ ଯୋଗଦାନ ଦେଇ ଆସୁଛନ୍ତି । ସେମାନେ ବ୍ୟବସାୟ ଏବଂ ବାଣିଜ୍ୟରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି । ଓଡ଼ିଶାର ଅନେକ ଉତ୍କୃଷ୍ଟ ଶିକ୍ଷାବିତ୍ ଓ ଗବେଷକ, କ୍ରୀଡ଼ାବିତ, କଳାକାର ଏବଂ ଶ୍ରେଷ୍ଠ ବ୍ୟକ୍ତିତ୍ଵ ମଧ୍ଯ ଅଛନ୍ତି । ମୁଁ ଦୀର୍ଘ ଦିନ ଧରି ଓଡ଼ିଶାର ଲୋକମାନଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଛି ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ, ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରାୟତଃ ଓଡ଼ିଆ ଲୋକମାନଙ୍କ ସହିତ ମତବିନିମୟ କରୁଥୁଲି । ମୁଁ ଯେତେବେଳେ ସେମାନଙ୍କୁ ଭେଟୁଥିଲି, ସେମାନଙ୍କ ମଧ୍ୟରେ ନିଜ ମୂଳଦୁଆକୁ ନେଇ ଗର୍ବ କରିବାର ଏକ ଭାବନା ଦେଖିଥିଲି । ପ୍ରକୃତରେ, ମୁଁ ସବୁବେଳେ ଗୁଜରାଟ ଏବଂ ଓଡ଼ିଶା ମଧ୍ୟରେ ରହିଥିବା ସମାନତା ଆଡ଼କୁ ଇଙ୍ଗିତ କରୁଥିଲି । ଉଭୟ ରାଜ୍ୟରେ ଭବ୍ୟ ସୂର୍ଯ୍ୟ ମନ୍ଦିର (କୋଣାର୍କ ଏବଂ ମୋଢ଼େରାରେ) ରହିଛି ଏବଂ ଉଭୟ ସ୍ଥାନରେ ବିଶାଳ ରଥଯାତ୍ରା ଆୟୋଜନ କରାଯାଇଥାଏ । ଏପରିକି, ଅହମ୍ମଦାବାଦରେ ରଥଯାତ୍ରା ଆରମ୍ଭ ହେବା ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ପହଣ୍ଡି ବିଧି କରିବାକୁ ଆସନ୍ତି । ଏହି କାର୍ଯ୍ୟ କରିବା ସବୁବେଳେ ଏକ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିଥାଏ ।
ସେ ଆଉ ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ଓଡ଼ିଶା ସହିତ ମୋର ଘନିଷ୍ଠ ସମ୍ପର୍କ ଜାରି ରହିଛି । ମୁଁ ଏହାକୁ ମୋର ସୌଭାଗ୍ୟ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ବୋଲି ମନେ କରୁଛି ଯେ ଗତ ଏକ ଦଶନ୍ଧି ଧରି, ମୁଁ ଓଡ଼ିଶାର ପ୍ରଗତି ତଥା ଏହାର ଲୋକଙ୍କ ସମୃଦ୍ଧି ପାଇଁ କାମ କରିବାର ସୁଯୋଗ ପାଇଛି । ଚଳିତ ବର୍ଷ ଏହାର ଏକ ଝଲକ ଦେଖିବାକୁ ମିଳିଛି । ଏ ବର୍ଷ ଓଡ଼ିଶାକୁ ରେଳ ଏବଂ ସଡ଼କ ପାଇଁ ସର୍ବାଧୂକ ପାଣ୍ଠି ଆବଣ୍ଟନ କରାଯାଇଛି। ୨୦୨୫-୨୬ ବର୍ଷରେ ଓଡ଼ିଶା ପାଇଁ ରେଳ ଆବଣ୍ଟନ ୧୦,୬୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ତୁଳନାରେ ୨୦୦୯ରୁ ୨୦୧୪ ମଧ୍ଯରେ ବାର୍ଷିକ ହାରାହାରୀ ଆବଣ୍ଟନ ମାତ୍ର ୮୩୮ କୋଟି ଟଙ୍କା ଥିଲା । ଏହି ପଦକ୍ଷେପ ସଂଯୋଗୀକରଣ ଏବଂ ଲଜିଷ୍ଟିକ୍ସକୁ ନୂତନ ଗତି ଦେଉଛି । ଏଥିସହିତ, ପ୍ରକୃତି ଏବଂ ସଂସ୍କୃତି ଉଭୟଙ୍କ ଆଶୀର୍ବାଦପ୍ରାପ୍ତ ଓଡ଼ିଶାରେ ସମଗ୍ର ବିଶ୍ବର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ବ୍ୟାପକ ସମ୍ଭାବନା ଥିବାରୁ, ଯୋଗାଯୋଗକୁ ଉନ୍ନତ କରିବା ଉପରେ ଆମର ଧ୍ୟାନ ରାଜ୍ୟର ପର୍ଯ୍ୟଟନ ପାଇଁ ସହାୟକ ହେବ ।
ଆମେ ବିଭିନ୍ନ ପ୍ରମୁଖ ଯୋଜନା ମାଧ୍ଯମରେ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଏକ ଉନ୍ନତ ଜୀବନଯାପନ ଲାଗି ସକ୍ଷମ କରିବା ଦିଗରେ ମଧ୍ଯ କାର୍ଯ୍ୟ କରିଛୁ । ବିଶେଷକରି, ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ଆଦିବାସୀଙ୍କ ମଧ୍ୟରେ ସବୁଠାରୁ ଗରିବ ଏବଂ ଦୁର୍ବଳ ଗୋଷ୍ଠୀଙ୍କ ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛି । କେନ୍ଦ୍ରର ଏନଡିଏ ସରକାର ବନ୍ଦର ଆଧାରିତ ବିକାଶ ମାଧ୍ଯମରେ ଓଡିଶାକୁ ଏକ ପ୍ରମୁଖ ସାମୁଦ୍ରିକ ଏବଂ ଶିଳ୍ପଭିଭିକ ରାଜ୍ୟ ଭାବରେ ବିକଶିତ ହେବା ଲାଗି ସମର୍ଥନ କରୁଛି । ଏଥ୍ରେ ପାରାଦୀପ ଚାରିପାଖରେ ଶିଳ୍ପ ଅନୁକୂଳ ପରିବେଶର ବିକାଶ, ପାରାଦୀପ ଓ ଗୋପାଳପୁରରେ ପ୍ରସ୍ତାବିତ ଏଲଏନଜି ଟର୍ମିନାଲ ଏବଂ ବାହୁଦା ବନ୍ଦର ତଥା ମହାନଦୀରେ ନଦୀ ଆଧାରିତ ଜାହାଜ ନିର୍ମାଣ ଓ ବନ୍ଦର ଭଳି ପ୍ରକଳ୍ପର ବ୍ୟାପକ ସମ୍ଭାବନା ଅନ୍ତର୍ଭୁକ୍ତ ।
ସେହିପରି ଓଡ଼ିଶାରେ ମତ୍ସ୍ୟଚାଷ ଲୋକପ୍ରିୟ ହେବା ଅତ୍ୟନ୍ତ ଉତ୍ସାହଜନକ । ସଦ୍ୟତମ ମନ କୀ ବାତ ଅଧ୍ୟାୟରେ, ମୁଁ ଓଡିଶାର ଜଣେ ମାଛ ଚାଷୀଙ୍କ ବିଷୟରେ କହିଥିଲି । ପ୍ରସ୍ତାବିତ ସ୍ବତନ୍ତ୍ର ରେୟାର ଆର୍ଥ କରିଡର ସହିତ ଏକ ଘରୋଇ ରେୟାର ଆର୍ଥ ସ୍ଥାୟୀ ଚୁମ୍ବକ ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ ପାଇଁ ଅନୁମୋଦିତ ଯୋଜନା, ରଣନୀତିକ ଖଣିଜ ଓ ଅତ୍ୟାଧୁନିକ ଉତ୍ପାଦନରେ ଓଡ଼ିଶାର ଭୂମିକାକୁ ଆହୁରି ସୁଦୃଢ଼ କରିବ । ଭାରତର ସେମିକଣ୍ଡକ୍ଟର ଶିଳ୍ପ ଯାତ୍ରାରେ ଓଡ଼ିଶା ମଧ୍ଯ ଏକ ସମ୍ଭାବନାପୂର୍ଦ୍ଧ ଗନ୍ତବ୍ୟସ୍ଥଳ ଭାବରେ ଉଭା ହେଉଛି । ନିକଟରେ କ୍ଷେତ୍ରଗତ ଅନୁମୋଦନଗୁଡ଼ିକ ଉଚ୍ଚ-ପ୍ରଯୁକ୍ତିବିଦ୍ୟା ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉତ୍ପାଦନ ନିମନ୍ତେ ଏହାର ସମ୍ଭାବନା ଉପରେ ବର୍ଷିତ ଆତ୍ମବିଶ୍ବାସକୁ ପ୍ରତିଫଳିତ କରୁଛି ।
ମୋଦି ଆଉ ମଧ୍ୟ କହିଛନ୍ତି ମୁଁ କେବଳ କିଛି ଉଦାହରଣ ଦେଇଛି, କିନ୍ତୁ ରାଜ୍ୟ ପାଇଁ ହେଉଥିବା କାର୍ଯ୍ୟର ପରିସର ବ୍ୟାପକ ଏବଂ ରୂପାନ୍ତରଣକାରୀ । ବାମପନ୍ଥୀ ଉଗ୍ରବାଦ ବିରୁଦ୍ଧରେ ଆମ ସରକାରଙ୍କ ସଫଳତା ପାଇଁ ମୁଁ ଗର୍ବିତ । କିଛି ଦିନ ପୂର୍ବେ, ସଂସଦରେ, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଏହି କ୍ଷେତ୍ରରେ ହୋଇଥିବା ଅଗ୍ରଗତି ବିଷୟରେ ଏକ ଉଲ୍ଲେଖନୀୟ, ତଥ୍ୟପୂର୍ଣ ବିବରଣୀ ଦେଇଥିଲେ । ଏନଡିଏ ସରକାର ମାଓବାଦର ବିପଦକୁ ମୂଳପୋଛ କରିବା ଉପରେ ଯଥୋଚିତ ଭାବେ ଧ୍ୟାନ ଦେବା ସହିତ ଆମେ ବାମପନ୍ଥୀ ଉଗ୍ରବାଦ ଦ୍ବାରା ଶୋଷିତ ହେଉଥିବା ଲୋକଙ୍କୁ ସମ୍ମାନର ଜୀବନ ଦେବା ପାଇଁ ମଧ୍ୟ କାର୍ଯ୍ୟ କରିଛୁ । ଓଡ଼ିଶା ଭଳି ଏକ ରାଜ୍ୟ ଏହି ପ୍ରୟାସଗୁଡ଼ିକୁ ଯଥେଷ୍ଟ ଭାବେ ସ୍ବୀକାର କରିପାରିବ କାରଣ ବାମପନ୍ଥୀ ଉଗ୍ରବାଦୀଙ୍କ ହିଂସା ଓଡ଼ିଶାର ବିକାଶ ପଥକୁ ମନ୍ଥର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଗତ ଦୁଇ ବର୍ଷ ଧରି ଆପଣ ଏବଂ ଓଡ଼ିଶା ସରକାର ଯେଉଁ ଅସାଧାରଣ କାର୍ଯ୍ୟ କରିଛନ୍ତି ତାହାକୁ ମୁଁ ଉଚ୍ଚ ପ୍ରଶଂସା କରୁଛି । ଲୋକମାନେ ଏହି ଦଳ ଉପରେ ଅତୁଟ ବିଶ୍ବାସ ରଖୁଛନ୍ତି ଏବଂ ମୁଁ ନିଶ୍ଚିତ ଯେ ଲୋକଙ୍କ ସ୍ବପ୍ନ ପୂରଣ କରିବାରେ କୌଣସି ସୁଯୋଗ ଛଡ଼ାଯିବ ନାହିଁ ।
ଏହା ସହ ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣର ଏକ ପ୍ରମୁଖ ଉପକରଣ ଭାବରେ ଉଭା ହୋଇଛି । ଏହି ଯୋଜନା ଦ୍ବାରା ୧ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କ ଜୀବନ ଧାରଣ ମାନ ଉନ୍ନତ ହୋଇଛି । ଏହି ଯୋଜନା ଆମର ନାରୀ ଶକ୍ତିକୁ ଆର୍ଥିକ ସହାୟତା, ଆତ୍ମବିଶ୍ବାସ ଏବଂ ମର୍ଯ୍ୟାଦା ଆଣି ଦେଇଛି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଏକ ଅଗ୍ରଣୀ ରାଜ୍ୟ ହୋଇଥିବାରୁ ମଧ୍ଯ ମୁଁ ଓଡ଼ିଶାକୁ ପ୍ରଶଂସା କରୁଛି । ଓଡ଼ିଶାର ଶିଳ୍ପ ପ୍ରଗତି ମଧ୍ଯ ଅନୁରୂପ ଭାବରେ ଉତ୍ସାହଜନକ । ରେକର୍ଡ ପରିମାଣର ପୁଞ୍ଜିନିବେଶ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସମ୍ଭାବନା ସହିତ ଶହେରୁ ଅଧିକ ପ୍ରମୁଖ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ସେଗୁଡ଼ିକର କାର୍ଯ୍ୟକାରିତାରେ ସ୍ପଷ୍ଟ ଧାରାକୁ ପ୍ରତିଫଳିତ କରିଥାଏ । ଓଡ଼ିଶାରେ ନିବେଶକୁ ଉତ୍ପାଦନକ୍ଷମ ସମ୍ପଭି, ନିଯୁକ୍ତି ଏବଂ ସୁଯୋଗରେ ପରିଣତ କରାଯାଉଛି ବୋଲି ଏହା ପ୍ରମାଣିତ କରିଛି ।
ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବା ଏବଂ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ତଥା ପ୍ରଚାର ପାଇଁ ଆପଣଙ୍କ ସରକାରଙ୍କ ପ୍ରୟାସକୁ ମୁଁ ବିଶେଷ ଭାବରେ ପ୍ରଶଂସା କରିବାକୁ ଚାହେଁ । କେନ୍ଦ୍ର ଯେଉଁ କ୍ଷେତ୍ରଗୁଡ଼ିକରେ ଓଡ଼ିଶାକୁ ସମର୍ଥନ ଜାରି ରଖିବ ସେଥ୍ମଧ୍ୟରୁ ଗୋଟିଏ ହେଉଛି କ୍ରୀଡା ଏବଂ ଯୁବ ସଶକ୍ତିକରଣ । ୨୦୨୮ ବିଶ୍ବ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍ ଆୟୋଜନ ପାଇଁ ଓଡ଼ିଶାକୁ ମନୋନୀତ କରାଯିବା ସମଗ୍ର ଦେଶ ପାଇଁ ଗର୍ବର ବିଷୟ । ଏପରି କ୍ରୀଡା ପ୍ରତିଯୋଗିତାଗୁଡ଼ିକ ବିଶ୍ବ ସମ୍ମୁଖରେ ଓଡ଼ିଶାର ଶକ୍ତି ଏବଂ ସମ୍ଭାବନାକୁ ପ୍ରଦର୍ଶିତ କରିବ । ଆଗାମୀ ଏକ ଦଶନ୍ଧି ମଧ୍ୟରେ, ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ହେବାର ୧୦୦ ବର୍ଷ ପୂରଣ କରିବ । ମୁଁ ଆପଣଙ୍କୁ ଏବଂ ଆପଣଙ୍କ ସହଯୋଗୀମାନଙ୍କୁ ଅନୁରୋଧ କରୁଛି ଯେ ଓଡ଼ିଶାର ପ୍ରଗତି ପାଇଁ ସାମୂହିକ ଭାବରେ ଆହୁରି କ’ଣ କରାଯାଇପାରିବ ସେ ବିଷୟରେ ବିଚାର କରନ୍ତୁ ।
ପୁଣିଥରେ, ଉତ୍କଳ ଦିବସରେ ମୋର ଅନେକ ଅନେକ ଶୁଭେଚ୍ଛା ଜଣାଉଛି । ମୁଁ ନିଶ୍ଚିତ ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଏହାର ଲୋକଙ୍କ ସାମର୍ଥ୍ୟ ଓ ଆକାଂକ୍ଷା ସହିତ ଓଡ଼ିଶା ସମୃଦ୍ଧିର ନୂତନ ମାଇଲଖୁଣ୍ଟ ହାସଲ କରିଚାଲିବ । ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶାର ସହଭାଗୀ ସଂକଳ୍ପ ହାସଲ ଦିଗରେ ଆଗକୁ ବଢ଼ିବା ପାଇଁ ଭାରତ ସରକାର ସର୍ବଦା ଓଡ଼ିଶା ସହିତ କାନ୍ଧକୁ କାନ୍ଧ ମିଶାଇ ଛିଡ଼ା ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।