କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ସମୟରେ ଏହାର ଉଦ୍ଘାଟନ ହୋଇପାରେ। ହେଲେ ୧୬୪ କୋଟି ଟଙ୍କାରେ ନବୀକରଣ କରାଯାଇଥିବା ଏହି ଷ୍ଟୁଡିଓରୁ ରାଜ୍ୟ ସରକାର କିଛି ଲାଭ ପାଇବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଲାଣି। କାରଣ ଆସନ୍ତା ୨ ବର୍ଷ ପାଇଁ ଇଡ୍କୋ କଳିଙ୍ଗ ଷ୍ଟୁଡିଓକୁ ଘରୋଇ ସଂସ୍ଥା ‘ଯାତ୍ରୀ କର୍ପୋରେଟ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍’କୁ ଟେକି ଦେଇଛି। ଅର୍ଥାତ୍ କଳିଙ୍ଗ ଷ୍ଟୁଡିଓ ଉଦ୍ଘାଟନ ପରେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ବ ନେବ ଏହି ଘରୋଇ ସଂସ୍ଥା। ଏଥିପାଇଁ ‘ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି)’ ଦୁଇ ବର୍ଷ ପାଇଁ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ କରିବ।
- ରକ୍ଷଣାବେକ୍ଷଣା ପାଇଁ ଠିକା ସଂସ୍ଥାକୁ ୮ କୋଟି ଦେବ ଓଏଫ୍ଡିସି
- ଆୟଠାରୁ ବଢ଼ିଯିବ ବ୍ୟୟ, ଟେଣ୍ଡର ପ୍ରକ୍ରିୟାକୁ ନେଇ ଆପତ୍ତି
- ପୁଣି କ୍ଷତି ସହିପାରେ ଷ୍ଟୁଡିଓ
ସୂଚନା ଅନୁଯାୟୀ, କଳିଙ୍ଗ ଷ୍ଟୁଡିଓର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜେ ସରକାର ବହନ କରିବେ ନାହିଁ। ବରଂ ଦୁଇ ବର୍ଷ ନିମନ୍ତେ ଏହି ଠିକା ସଂସ୍ଥାକୁ ଏଥିପାଇଁ ନିୟୋଜିତ କରାଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ ପ୍ରାୟ ୬ କୋଟି ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଜିଏସ୍ଟି ବାବଦ ଅତିରିକ୍ତ ଅର୍ଥ ପ୍ରାୟ ୧ କୋଟି ଟଙ୍କା ମଧ୍ୟ ସରକାର ବହନ କରିବେ। ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ସଂପନ୍ନ ହୋଇଯାଇଛି। ‘ଇଡ୍କୋ’ ପକ୍ଷରୁ ମୁଖ୍ୟ ମହାପ୍ରବନ୍ଧକ, (ସିଭିଲ୍)ଙ୍କ ସ୍ୱାକ୍ଷରରେ ୩୧.୧୨.୨୫ରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ବିଭିନ୍ନ ମହଲରେ ଆପତ୍ତି ଉଠିଲାଣି।
ଅଭିଯୋଗ ହୋଇଛି ଯେ ଏହି ଟେଣ୍ଡର ପ୍ରକ୍ରିିୟା ପାଇଁ ‘ଇଡ୍କୋ’ର ପରିଚାଳନା ନିର୍ଦ୍ଦେଶକ ବା ଅଧ୍ୟକ୍ଷଙ୍କ ମଞ୍ଜୁରି ନିଆଯାଇନାହିଁ କି ଏଥିପାଇଁ ସରକାରଙ୍କ ପକ୍ଷରୁ ‘ଇଡ୍କୋ’କୁ ଅଧିକୃତ ମଧ୍ୟ କରାଯାଇନାହିଁ। କଳିଙ୍ଗ ଷ୍ଟୁଡିଓର ସତ୍ତ୍ୱାଧିକାରୀ ଓଏଫ୍ଡିସିକୁ ମଧ୍ୟ ଟେଣ୍ଡର ସମ୍ବନ୍ଧିତ ସୂଚନା ପ୍ରଦାନ କରାଯାଇ ନାହିଁ। ୨୦୨୫ ଡିସେମ୍ବର ୧୨ରେ ଟେଣ୍ଡରରେ ‘ଯାତ୍ରୀ କର୍ପୋରେଟ୍ ସର୍ଭିସ୍’ ଦ୍ୱାରା ପ୍ରଦତ୍ତ ବୈଷୟିକ ପ୍ରତିବେଦନ ବେଳେ ଓଏଫ୍ଡିସିକୁ ସଂପୃକ୍ତ କରାନଯିବା ଏହି ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରିଛି।