ଗ୍ୟାସ୍ ପାଇଁ ଆଉ ହଇରାଣ ହେବାକୁ ପଡିବନି, ପେଟ୍ରୋଲ ପମ୍ପ୍ ପରେ ଏଣିକି ଷ୍ଟେସନରେ ମିଳିବ
ଗ୍ୟାସ୍ ପାଇଁ ଆଉ ହଇରାଣ ହେବାକୁ ପଡିବନି । ପେଟ୍ରୋଲ ପମ୍ପ ପରେ ଏବେ ଷ୍ଟେସନ ପାଖରେ ମିଳିବ ଗ୍ୟାସ୍ । ସରକାର ନେଲେ ବଡ଼ ପଦକ୍ଷେପ । ପ୍ରବାସୀଙ୍କ ପାଇଁ ୫ କେଜିଆ ଗ୍ୟାସ୍ ବ୍ୟବସ୍ଥା କରିଛନ୍ତି ସରକାର । ଇରାନ ସହ ଆମେରିକାର ଯୁଦ୍ଧ ମଧ୍ୟରେ ଗ୍ୟାସ୍ ଓ ତୈଳର ଅଭାବ ସାରା ଦେଶରେ ଦେଖାଦେଇଛି । ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଥିଲା ।
ଦେଶରେ ଗ୍ୟାସ୍ର ସାମୟିକ ଅଭାବ ଦେଖାଦେବା ଫଳରେ ସବୁଠୁ ଅଧିକ ହନ୍ତସନ୍ତ ହୋଇଥିଲେ ଦିନ ମଜୁରିଆ ଓ ପ୍ରବାସୀ ଶ୍ରମିକ । ସ୍ଥାୟୀ ଠିକଣା ପ୍ରମାଣପତ୍ର ନଥିବାରୁ ଏହି ଶ୍ରମିକ ମାନେ ୧୪ କେଜିଆ ବଡ଼ ସିଲିଣ୍ଡର ପାଇବାରେ ଅସମର୍ଥ ହୋଇଥାନ୍ତି । ସେମାନଙ୍କ ପାଇଁ ଏକମାତ୍ର ସାହା ହେଉଛି ୫ କେଜିଆ ଛୋଟ ସିଲିଣ୍ଡର । କିନ୍ତୁ ଯୋଗାଣ କମ୍ ଥିବାରୁ କିଛି ଅସାଧୁ ବ୍ୟବସାୟୀ ଏହାର କଳାବଜାରୀ କରି ଅଧିକ ଦାମ୍ରେ ବିକ୍ରି କରୁଥିଲେ । ଅନେକ ପ୍ରବାସୀ ଶ୍ରମିକ ଅତିଷ୍ଠ ହୋଇ ରୋଷେଇ ପାଇଁ ପୁଣି କାଠ ଚୁଲିକୁ ଆପଣେଇଥିଲେ ତ କିଛି ଶ୍ରମିକ ସହର ଛାଡ଼ି ନିଜ ଗାଁକୁ ଫେରିବା ଆରମ୍ଭ କରିଥିଲେ । ତେବେ ଏମାନେ ଏଣିକି ଆଧାର କାର୍ଡ ଏବଂ ଶ୍ରମ କାର୍ଡ ଦେଖାଇ ଷ୍ଟେସନରୁ ୫ କେଜିଆ ଗ୍ୟାସ୍ ନେଇପାରିବେ । ଏଥିପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରିଛନ୍ତି ସରକାର ।