କାଠମାଣ୍ଡୁ: ନେପାଳରେ ବାଲେନ୍ଦ୍ର ଶାହାଙ୍କ ନେତୃତ୍ବାଧୀନ ସରକାର କ୍ଷମତାକୁ ଆସିବାର ଏକ ମାସ ମଧ୍ୟରେ ସେଠାରେ ପୁଣି ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ଯେଉଁ ଛାତ୍ର (ଜେନ୍ ଜେଡ୍) ଆନ୍ଦୋଳନ ଯୋଗୁଁ ବାଲେନ୍ଦ୍ର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତିି, ସେହି ଜେନ୍ ଜେଡ୍ ଗୋଷ୍ଠୀ ବର୍ତ୍ତମାନ ତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ରାଜନୈତିକ ଦଳ ସହ ସଂପୃକ୍ତ ଥିବା ସମସ୍ତ ଛାତ୍ର ସଂଗଠନକୁ ବେଆଇନ ଘୋଷଣା କରାଯାଇଛି। ଏହାକୁ ନେଇ ଛାତ୍ର ସଂଗଠନ ନେତାମାନେ ସରକାରଙ୍କ ବିରୋଧରେ ବିଷୋଦଗାର କରୁଥିବା ଲକ୍ଷ୍ୟ କରାଯାଇଛି। ଗୁରୁବାର ସହସ୍ରାଧିକ ଛାତ୍ର ରାଜଧାନୀ କାଠମାଣ୍ଡୁର ପ୍ରଶାସନିକ ନାଭି କେନ୍ଦ୍ର କୁହାଯାଉଥିବା ‘ସିଂହ ଦରବାର’ ନିକଟରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ବିକ୍ଷୋଭରେ ବିରୋଧୀ ରାଜନୈତିକ ଦଳର ନେତା ଓ ସାଧାରଣ ନାଗରିକ ମଧ୍ୟ ସାମିଲ ହୋଇଥିବା ଜଣାପଡିଛି। ସ୍କୁଲ ୟୁନିଫର୍ମ ପିନ୍ଧିଥିବା ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ପ୍ଲାକାର୍ଡ ଧରି ସରକାରଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି। ସରକାରଙ୍କ ଏଭଳି ନୀତିକୁ ସେମାନେ ବିରୋଧ କରିଥିବାବେଳେ ଦେଶର ଅନ୍ୟ ସହରରେ ମଧ୍ୟ ଅନୁରୂପ ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ସରକାର ଏହି ପ୍ରସଙ୍ଗରେ ଛାତ୍ର ନେତାଙ୍କ ସହ ତୁରନ୍ତ ଆଲୋଚନା କରିବାକୁ ଦାବି ହୋଇଛି।
ଅପରପକ୍ଷରେ ନିକଟରେ ଇସ୍ତଫା ଦେଇଥିବା ନେପାଳର ଗୃହ ମନ୍ତ୍ରୀ ସୁଦନ ଗୁରୁଙ୍ଗ୍ଙ୍କ ବିରୋଧରେ ମଧ୍ୟ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ବହିଃଶୁଳ୍କ ଲାଗୁ କରାଯାଉଥିବାରୁ ବ୍ୟବସାୟୀମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାଦ୍ବାରା ନେପାଳର କ୍ଷୁଦ୍ର ବ୍ୟବସାୟୀମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଗୁରୁଙ୍ଗ୍ ଆୟ ବହିର୍ଭୂତ ସମ୍ପତ୍ତିର ମାଲିକ ହୋଇଥିବାବେଳେ ଆର୍ଥିକ ପ୍ରସଙ୍ଗରେ ବିବାଦୀୟ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିଥିବା ଅଭିଯୋଗ ହୋଇଛି। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଛାତ୍ର ନେତାମାନେ ଦାବି କରିଛନ୍ତି।