କୋଲକାତା : ପ୍ରବଳ ଖରା ସତ୍ତ୍ୱେ ପଶ୍ଚିମବଙ୍ଗ ଓ ତାମିଲନାଡୁରେ ଭୋଟ ବର୍ଷା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁର ସମସ୍ତ ଆସନ ପାଇଁ ଭୋଟ୍ ଗ୍ରହଣ ଶେଷ ହୋଇଛି । ପ୍ରବଳ ଖରା ସତ୍ତ୍ୱେ ଭୋଟରମାନେ ବହୁ ସଂଖ୍ୟାରେ ବାହାରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଅପରାହ୍ ଣ ୫ଟା ସୁଦ୍ଧା ପଶ୍ଚିମବଙ୍ଗରେ ୮୯.୯୩% ମତଦାନ ରେକର୍ଡ । ଦକ୍ଷିଣ ଦିନାଜପୁର ଓ ଝାଡ଼ଗ୍ରାମ ଭଳି ଜିଲ୍ଲାରେ ୮୦ ପ୍ରତିଶତରୁ ଅଧିକ ଭୋଟ୍ ରେକର୍ଡ କରାଯାଇଛି । ପଶ୍ଚିମବଙ୍ଗରେ ମୋଟ ୧,୪୭୮ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏଠାରେ ମୁଖ୍ୟତଃ ତୃଣମୂଳ କଂଗ୍ରେସ (TMC) ଏବଂ ବିଜେପି (BJP) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି ।
ବଙ୍ଗଳାର ଦକ୍ଷିଣ ଦିନାଜପୁରରେ ୮୧.୪୯ ପ୍ରତିଶତ , ଝାଡ଼ଗ୍ରାମରେ ୮୧.୦୪ ପ୍ରତିଶତ ଏବଂ ବୀରଭୂମରେ ୮୦.୨୨ପ୍ରତିଶତ ସବୁଠାରୁ ଅଧିକ ଭୋଟ୍ ପଡ଼ିଛି। ସେହିଭଳି ତାମିଲନାଡୁରେ ୨୩୪ ଆସନ ପାଇଁ ଏକକ ପର୍ଯ୍ୟାୟରେ ମତଦାନ ହୋଇଛି। ଯେଉଁଥିରେ ପ୍ରାୟ ୭୦ ପ୍ରତିଶତ ଭୋଟର ଅଂଶଗ୍ରହଣ କରିଛନ୍ତି। ତାମିଲନାଡୁର ୨୩୪ ଆସନରେ ଅପରାହ୍ ଣ ୫ଟା ସୁଦ୍ଧା ୮୨.୨୪% ଭୋଟିଂ । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଏବଂ ଅଭିନେତା ବିଜୟଙ୍କ ଭଳି ପ୍ରମୁଖ ନେତାମାନେ ଭୋଟ୍ ଦେଇଛନ୍ତି। ଏଠାରେ ୫.୭୩ କୋଟିରୁ ଅଧିକ ଭୋଟର ଅଂଶଗ୍ରହଣ କରିଥିଲେ।
ଏଥର ଡିଏମକେ (DMK), ଏଆଇଏଡିଏମକେ (AIADMK) ସହ ସୁପରଷ୍ଟାର ବିଜୟଙ୍କ ନୂଆ ଦଳ ଟିଭିକେ (TVK) ମଧ୍ୟରେ କଡ଼ା ଲଢ଼େଇ ହେଉଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ, ଉଦୟନିଧି ଷ୍ଟାଲିନ ଏବଂ ଅଭିନେତା ବିଜୟଙ୍କ ଭଳି ବହୁ ପ୍ରମୁଖ ବ୍ୟକ୍ତି ନିଜର ଭୋଟ୍ ଦେଇ ଗଣତନ୍ତ୍ରର ପର୍ବରେ ସାମିଲ ହୋଇଥିଲେ। ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପଶ୍ଚିମବଙ୍ଗରେ ୨.୪ ଲକ୍ଷରୁ ଅଧିକ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ ଆସାନସୋଲରେ କିଛି ସ୍ଥାନରେ ଛୋଟ ଧରଣର ଗଣ୍ଡଗୋଳ ହୋଇଥିବା ବେଳେ ତାମିଲନାଡୁରେ ଜଣେ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଖବର ମିଳିଛି। ଉଭୟ ରାଜ୍ୟର ଭାଗ୍ୟ ବର୍ତ୍ତମାନ ଇଭିଏମ୍ (EVM) ମେସିନରେ ବନ୍ଦ ହୋଇଛି। ଆସନ୍ତା ମଇ ୪, ୨୦୨୬ ରେ ଭୋଟ୍ ଗଣତି କରାଯାଇ ଫଳାଫଳ ଘୋଷଣା ହେବ।