ରଣବୀର ସିଂ ହେବେ ଭଗବାନ ଶିବ! ‘ଦି ଇମୋର୍ଟଲ୍ସ ଅଫ୍ ମେଲୁହା’କୁ ନେଇ ବଢ଼ିଲା ଚର୍ଚ୍ଚା

0

ଭୁବନେଶ୍ବର: ବଲିଉଡ୍ ଅଭିନେତା ରଣବୀର ସିଂ ପୁଣିଥରେ ଚର୍ଚ୍ଚାରେ। ‘ଧୁରନ୍ଧର’ ପରେ ତାଙ୍କ କ୍ୟାରିଅରରେ ନୂଆ ମୋଡ଼ ଆସିଥିବା ବେଳେ, ଏବେ ସେ ଏକ ବଡ଼ ପୌରାଣିକ ପ୍ରକଳ୍ପରେ ନଜର ଆସିପାରନ୍ତି ବୋଲି ଖବର ମିଳୁଛି। ଚର୍ଚ୍ଚା ହେଉଛି ଯେ, ରଣବୀର ସିଂ ଖୁବଶୀଘ୍ର ‘ଦି ଇମୋର୍ଟଲ୍ସ ଅଫ୍ ମେଲୁହା’ ଫିଲ୍ମରେ ଅଭିନୟ କରିପାରନ୍ତି।

 

ସୂଚନା ଅନୁଯାୟୀ, ଏହି ଫିଲ୍ମଟି ରଣବୀର ସିଂଙ୍କ ପ୍ରଡକ୍ସନ୍ ବ୍ୟାନର ଅଧୀନରେ ନିର୍ମାଣ ହେବାର ସମ୍ଭାବନା ରହିଛି। ଏହା ଏକ ବୃହତ୍ ପୌରାଣିକ ତ୍ରିକୋଣୀୟ ଫିଲ୍ମ ଭାବେ ପ୍ରସ୍ତୁତ ହେବ ବୋଲି କୁହାଯାଉଛି।ରଣବୀର ସିଂ ଏହି ଫିଲ୍ମରେ ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିପାରନ୍ତି। ଏହି ଚଳଚ୍ଚିତ୍ରଟି ଲେଖକ ଅମିଶ ତ୍ରିପାଠୀଙ୍କ ଲୋକପ୍ରିୟ ଉପନ୍ୟାସ ‘ଦି ଇମୋର୍ଟଲ୍ସ ଅଫ୍ ମେଲୁହା’ ଉପରେ ଆଧାରିତ। ଏହା ଶିବ ତ୍ରିକୋଣର ପ୍ରଥମ ପୁସ୍ତକ, ଯେଉଁଥିରେ ଭଗବାନ ଶିବଙ୍କୁ ଜଣେ ବୀର ଓ ନେତୃତ୍ୱଦାନକାରୀ ଚରିତ୍ର ଭାବେ ଦେଖାଯାଇଛି।

 

ଫିଲ୍ମର ଅନ୍ୟ କଳାକାରଙ୍କ ନାମ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ବେଳେ, ୨୦୨୮ ମସିହାରେ ଏହାର ସୁଟିଂ ଆରମ୍ଭ ହେବାର ସମ୍ଭାବନା ରହିଛି। ଅମିଶ ତ୍ରିପାଠୀଙ୍କ ପୁସ୍ତକର କଭର ଲଞ୍ଚ ଅବସରରେ ଅକ୍ଷୟ କୁମାର ଏକ ଆକର୍ଷଣୀୟ କଥା ସେୟାର କରିଥିଲେ। ସେ କହିଥିଲେ ଯେ, ପ୍ରଥମେ ତାଙ୍କୁ ‘ଦି ଇମୋର୍ଟଲ୍ସ ଅଫ୍ ମେଲୁହା’ର ଅଧିକାର କିଣିବାକୁ ପ୍ରସ୍ତାବ ମିଳିଥିଲା। କିନ୍ତୁ ନିଜେ ଭଗବାନ ଶିବଙ୍କ ଭୂମିକାରେ ନ୍ୟାୟ କରିପାରିବେ କି ନାହିଁ ଭାବି ସେ ସେତେବେଳେ ପ୍ରସ୍ତାବକୁ ନାକୋଚ କରିଥିଲେ। ପରେ କରଣ ଜୋହରଙ୍କ ଠାରୁ କାହାଣୀ ଶୁଣିବା ପରେ ସେ ଏହି ସୁଯୋଗ ହାରାଇଥିବାର ଅନୁଭବ କରିଥିଲେ।

Leave A Reply

Your email address will not be published.