ରଜରେ ପରଦାକୁ ଆସୁଛି ଅମ୍ଲାନଙ୍କ ‘ଶିକାର’, ରିଲିଜ୍ ହେଲା ରୋମାଞ୍ଚକର ଟିଜର*
ଓଡ଼ିଆ ସିନେମାର ବଡ଼ ପର୍ବ ରଜ ଅବସରରେ ଦର୍ଶକଙ୍କୁ ଆକ୍ସନ ସସପେନ୍ସ ସହ ଭରପୂର ମନୋରଞ୍ଜନ ଦେବାକୁ ପ୍ରେଖ୍ୟାଳୟକୁ ଆସୁଛି ଅଭିନେତା ଅମ୍ଲାନ ଙ୍କ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଶିକାର’। ନିକଟରେ ଫିଲ୍ମର ଫର୍ଷ୍ଟ ଲୁକ୍ ଓ ଷ୍ଟାରକାଷ୍ଟଙ୍କ ଲୁକ୍ ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଏହାର ଟିଜର ରିଲିଜ୍ ହୋଇଛି। ସୋସିଆଲ ମିଡିଆରେ ଟିଜରକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳୁଛି।
ପ୍ରଯୋଜନା ସଂସ୍ଥା ମୁନ୍ ଟିଭି ଓ ସିଦ୍ଧାର୍ଥ ଟିଭି ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଏ ସିନେମାର ଟିଜର ରିଲିଜ୍ କରାଯାଇ ଲେଖାଯାଇଛି, “ପ୍ରତ୍ୟେକ ଶିକାରୀ ଅସ୍ତ୍ର ବହନ କରନ୍ତି ନାହିଁ। କେହି ଯନ୍ତ୍ରଣା ସହିତ ଶିକାର କରନ୍ତି, କେହି ପ୍ରେମ ସହିତ ଓ କେହି ବିଶ୍ୱାସଘାତ ସହିତ ଶିକାର କରନ୍ତି। ନାୟକ ଓ ଖଳନାୟକଙ୍କ ଦୁନିଆରେ ଆପଣ କାହା ପକ୍ଷରେ ଅଛନ୍ତି?”
୧ ମିନିଟ୍ ୨୮ ସେକେଣ୍ଡର ଏହି ଟିଜରର ଆରମ୍ଭରେ ରକ୍ତାକ୍ତ ଅବସ୍ଥାରେ ଅମ୍ଲାନଙ୍କୁ ଦେଖିବାକୁ ମିଳୁଛି। ଚିତ୍କାର କରିବା ସହ ବନ୍ଧୁକ ଚଳାଉଥିବା ଦୃଶ୍ୟ ଟିଜରକୁ ଅଧିକ ରୋମାଞ୍ଚକର କରିଛି। ଅନ୍ୟପଟେ ଅଭିନେତ୍ରୀ ଏଲିନା ପ୍ରଥମ ଥର ଓକିଲ ଭୂମିକାରେ ନଜର ଆସିଛନ୍ତି, ଯିଏ ମାମଲାର ତଦନ୍ତ କରୁଥିବା ଦେଖାଯାଇଛି। ଟିଜରରେ ଅମ୍ଲାନଙ୍କ ଏକ ସଂଳାପ — “ମୋତେ ନ୍ୟାୟ ଦେବା ବଦଳରେ ଆପଣଙ୍କ ସହ ଅନ୍ୟାୟ ହୋଇଯାଇପାରେ” — ଦର୍ଶକଙ୍କ ଉତ୍ସୁକତାକୁ ବଢ଼ାଇଛି।
ଏହାସହ ପୋଲିସ ଭ୍ୟାନ୍, ଆକ୍ସନ ସିନ୍ ଓ ଅନ୍ୟାନ୍ୟ ଷ୍ଟାରକାଷ୍ଟଙ୍କ ଝଲକ ଟିଜରକୁ ଅଧିକ ଆକର୍ଷଣୀୟ କରିଛି। କ୍ରାଇମ, ଆକ୍ସନ ଓ ସସପେନ୍ସରେ ଭରିଥିବା ଏହି ଫିଲ୍ମଟି ଆସନ୍ତା ଜୁନ୍ ୧୨ ତାରିଖରେ ରଜ ଅବସରରେ ସିନେମା ହଲରେ ମୁକ୍ତିଲାଭ କରିବ।
‘ଶିକାର’ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ମୃତ୍ୟୁଞ୍ଜୟ ସାହୁ। ମୁନ୍ ଟିଭି ପ୍ରେଜେଣ୍ଟ ଓ ସିଦ୍ଧାର୍ଥ ମ୍ୟୁଜିକର ଆନୁକୂଲ୍ୟରେ ଫିଲ୍ମଟି ପ୍ରସ୍ତୁତ ହୋଇଛି। କାହାଣୀ ଓ ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ପ୍ରିୟବ୍ରତ ପଣ୍ଡା। ବୈଦ୍ୟନାଥ ଦାଶ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଡି ଓ ପି ରହିଛନ୍ତି ପ୍ରତାପ ରାଉତ , ସମ୍ପାଦନ କରିଛନ୍ତି ରାଜେଶ ଦାଶ, ଗୀତ ଗୁଡ଼ିକୁ ଗାଇଛନ୍ତି ଅନ୍ତରା ଚକ୍ରବର୍ତ୍ତୀ, ମଣ୍ଟୁ ଛୁରୀଆ, କ୍ରିଷ୍ଣା ବେଉରା, ଅସୀମା ପଣ୍ଡା ଓ କୋରିଓଗ୍ରାଫି କରିଛନ୍ତି ଅମିତ ନାୟକ ,ପ୍ରଚାର ପ୍ରସାର ଦାୟିତ୍ବରେ ଅଛନ୍ତି ମିଡିଆ ପ୍ଲାନର ପ୍ରଣୟ ଜେଠୀ।
ଫିଲ୍ମରେ ଅମ୍ଲାନ ଦାସ ଓ ଏଲିନାଙ୍କ ସହ ସୁପ୍ରିୟା ନାୟକ, ଅଙ୍କିତ, ତାପସ ସରଘରିଆ, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରଶାନ୍ତ ପାତ୍ର , ପ୍ରଭାତୀ, ସ୍ମିତା ମହାନ୍ତି, ଅଭିନବ ସିଂ, ଜ୍ଞାନ ହୋଟା, ପୁଷ୍ପା ପଣ୍ଡା ଅଭିନୟ କରିଥିବା ବେଳେ ବିଶେଷ ଭୂମିକାରେ ମଣ୍ଟୁ, ଲିପିକା ଓ ବବି ମିଶ୍ର ଙ୍କୁ ଦେଖିବାକୁ ପାଇବେ ଦର୍ଶକ, ଫିଲ୍ମ ଟିର ପ୍ରଯୋଜକ ରହିଛନ୍ତି ସଚ୍ଚିକାନ୍ତ ଜେନା ।