ପ୍ରତିବର୍ଷ ଗ୍ରୀଷ୍ମଋତୁରେ ସାରା ଦେଶରେ ତାପମାତ୍ରା ବଢ଼ିବା ସହ ହିଟ୍ ୱେଭ୍ ପରିସ୍ଥିତି ଦେଖାଦେଉଛି । ଦେଶର ଅନେକ ସ୍ଥାନରେ ତାପମାତ୍ରା ୪୮ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ମେ ଶେଷ ଓ ଜୁନ୍ ଆରମ୍ଭରେ ତାତି ଆହୁରି ବଢ଼ିବାର ସତର୍କତା ଜାରି କରାଯାଇଛି ।
ଅତ୍ୟଧିକ ଗରମ ଯୋଗୁଁ ଘରର ପାଣି ଟାଙ୍କିରେ ଥିବା ପାଣି ମଧ୍ୟ ଗରମ ହୋଇଯାଉଛି । ବିଶେଷକରି ସହରାଞ୍ଚଳରେ ଛାତ ଉପରେ ରହୁଥିବା ପାଣି ଟାଙ୍କି ସୂର୍ଯ୍ୟ ତାପରେ ଅଧିକ ଗରମ ହେଉଥିବା ନଜରକୁ ଆସୁଛି । ଫଳରେ ଟ୍ୟାପ୍ରୁ ବାହାରୁଥିବା ପାଣି ମଧ୍ୟ ଗରମ ହୋଇଯାଉଛି, ଯାହା ଦୈନନ୍ଦିନ ବ୍ୟବହାରରେ ଅସୁବିଧା ସୃଷ୍ଟି କରୁଛି ।
ତେବେ କିଛି ସହଜ ଓ ପ୍ରଭାବୀ ଉପାୟ ଅନୁସରଣ କରି ଟାଙ୍କିର ପାଣିକୁ ଥଣ୍ଡା ରଖିହେବ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ସବୁଠାରୁ ପ୍ରଥମେ ପାଣି ଟାଙ୍କିର ବାହାରେ ଇନ୍ସୁଲେସନ୍ ଲଗାଇବା ଉଚିତ । ଫାଇବର ଗ୍ଲାସ୍, କ୍ଲୋଜ୍ଡ ସେଲ୍ ସ୍ପ୍ରେ ଫୋମ୍ ପରି ସାମଗ୍ରୀ ବ୍ୟବହାର କରିଲେ ବାହାର ତାପମାତ୍ରା ସିଧାସଳଖ ଭିତରକୁ ପ୍ରବେଶ କରିପାରେନି । ପରିବେଶ ଉପଯୋଗୀ ବିକଳ୍ପ ଭାବେ ଝୋଟ ଅଖା ବ୍ୟବହାର କରାଯାଇପାରେ ।
ଗାଢ଼ ରଙ୍ଗର ଟାଙ୍କି ଖୁବ୍ ଶୀଘ୍ର ତାପ ଶୋଷଣ କରିଥାଏ । ତେଣୁ ଟାଙ୍କିକୁ ଧଳା କିମ୍ବା ସିଲଭର୍ ରଙ୍ଗର ପେଣ୍ଟ କରିଲେ ସୂର୍ଯ୍ୟର ତାପ ବିକିରଣ ହୋଇଯାଏ ଓ ପାଣି ତୁଳନାମୂଳକ ଭାବେ ଥଣ୍ଡା ରହେ ।
ଏହାସହ ପାଣି ଟାଙ୍କିକୁ ସିଧାସଳଖ ଖରାରେ ରଖିବା ପରିବର୍ତ୍ତେ ଏହା ଉପରେ ସେଡ୍ କିମ୍ବା ଛାଇ ବ୍ୟବସ୍ଥା କରିବା ଆବଶ୍ୟକ । ଏହା ଦ୍ୱାରା ଟାଙ୍କି ଅଧିକ ଗରମ ହୁଏନି ।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଛାତ ଉପରେ ଟାଙ୍କିକୁ କିଛି ଉଚ୍ଚତାରେ ରଖିଲେ ତଳ ଭାଗରେ ବାୟୁ ସଞ୍ଚାଳନ ଭଲ ହୁଏ ଓ ଛାତର ତାପ ସିଧାସଳଖ ଟାଙ୍କିକୁ ପ୍ରଭାବିତ କରିପାରେନି ।
ଦିନ ଦ୍ୱିପହରରେ ଟାଙ୍କିରେ ପାଣି ଭରିବା ପରିବର୍ତ୍ତେ ସକାଳ କିମ୍ବା ସଂଧ୍ୟା ସମୟରେ ପାଣି ଭରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏହା ଦ୍ୱାରା ପାଣି ଶୀଘ୍ର ଗରମ ହୁଏନି ।
ଏଥିସହ ଛାତ ଉପରେ ସବୁଜ ଘାସ କିମ୍ବା ଗଛ ଲଗାଇଲେ ଆଖପାଖର ପରିବେଶ ଥଣ୍ଡା ରହିଥାଏ । ଫଳରେ ପାଣି ଟାଙ୍କି ଅଧିକ ତାପ ଶୋଷଣ କରେନି ଓ ପାଣି ଥଣ୍ଡା ରହିଥାଏ ।
ଗ୍ରୀଷ୍ମଋତୁରେ ଏହି ସବୁ ସହଜ ଉପାୟ ଅନୁସରଣ କରିଲେ ଘରୋଇ ପାଣି ଟାଙ୍କିର ପାଣିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଥଣ୍ଡା ଓ ବ୍ୟବହାରଯୋଗ୍ୟ ରଖିହେବ ।