୯୪ ଟି ରାଫେଲ ଜେଟ୍ ତିଆରି କରିବ ଭାରତ, ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି ପଠାଇଛନ୍ତି ସରକାର

0

ନୂଆଦିଲ୍ଲୀ : ମେକ୍ ଇନ୍ ଇଣ୍ଡିଆକୁ ବଡ଼ ପ୍ରୋତ୍ସାହନ ମିଳିବାକୁ ଯାଉଛି । ଏବେ ଭାରତରେ ଫାଇଟର ଜେଟ୍ ତିଆରି ହେବାକୁ ନେଇ ନିଷ୍ପତ୍ତି ନେଇଛନ୍ତି ସରକାର । ଆଲୋଚନା ପରେ ଭାରତ ସରକାର ୩.୨୫ ଲକ୍ଷ କୋଟି ଟଙ୍କାର ଚୁକ୍ତି ପାଇଁ ଫ୍ରାନ୍ସକୁ ଚିଠି ପଠାଇଛନ୍ତି । ଏହା ୧୧୪ଟି ରାଫେଲ ଯୁଦ୍ଧ ବିମାନ କିଣିବ, ଯାହା ମଧ୍ୟରୁ ୯୪ ଟି ଭାରତରେ ତିଆରି କରାଯିବ ।

ସୂଚନାନୁଯାୟୀ, ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧିଗ୍ରହଣ ଶାଖା ଗତ ସପ୍ତାହରେ ଫରାସୀ ଅଧିକାରୀମାନଙ୍କୁ ଏହି ଚିଠି ପଠାଇଛି। ଏହି ଚୁକ୍ତି ଅନୁଯାୟୀ ଭାରତରେ ୯୪ଟି ଫାଇଟର ଜେଟ୍ ତିଆରି କରାଯିବ । ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ଫ୍ରାନ୍ସ ପକ୍ଷରୁ ଏହି ଅନୁରୋଧ ପତ୍ରର ଉତ୍ତର ମିଳିବାର ସମ୍ଭାବନା ରହିଛି । ଆଗାମୀ ଏକ ବର୍ଷ ମଧ୍ୟରେ ଉଭୟ ପକ୍ଷ ଆଲୋଚନା ଶେଷ କରି ଏହି ସୌଦାକୁ ଚୂଡ଼ାନ୍ତ ରୂପ ଦେଇପାରନ୍ତି । ଆସନ୍ତା ଜୁନ୍ ମଧ୍ୟଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ଏବଂ ସେଠାରେ ଫ୍ରାନ୍ସ ନେତୃତ୍ୱଙ୍କ ସହ ହେବାକୁ ଥିବା ବୈଠକରେ ଏହି ରାଫେଲ ଚୁକ୍ତି ସମ୍ପର୍କରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।

ଏଥିସହିତ ଭାରତ ଯୁଦ୍ଧ ବିମାନ ସ୍କ୍ବାର୍ଡନର ଘୋର ଅଭାବର ସମ୍ମୁଖୀନ ହେଉଛି ଏବଂ ଏହାକୁ ସମାଧାନ କରିବାକୁ ୪.୫ ଜେନେରେସନ୍ ପ୍ଲସ ରାଫେଲ ବିମାନ ସାମିଲ କରାଯାଉଛି । ଭାରତୀୟ ବାୟୁସେନା ଏବଂ ନୌସେନା ପ୍ରଥମରୁ ୬୨ଟି ରାଫେଲ ବିମାନ ଅର୍ଡର କରିସାରିଛନ୍ତି । ୧୧୪ଟି ରାଫେଲ୍ ଅର୍ଡରର ଏହି ସଂଖ୍ୟା ୧୭୬କୁ ବୃଦ୍ଧି କରିବ । ଭାରତୀୟ ନୌସେନା ସାମୁଦ୍ରିକ ବିପଦର ମୁକାବିଲା ପାଇଁ ୩୧ ଟି ରାଫେଲ୍ ବିମାନ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରୁଛି । ଫଳରେ ଦେଶର ମୋଟ୍ ରାଫେଲ ବିମାନ ସଂଖ୍ୟା ୨୦୦ରୁ ଅଧିକ ହୋଇଯିବ ।

Leave A Reply

Your email address will not be published.