ସୁରତ (ଆମ ଟିଭି): ଗୁଜୁରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗୁଜୁରାଟ ଗସ୍ତରେ ଯାଇ ସୁରତ ଠାରେ ମୋଦୀ ୩,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରି ଗୁଜରାଟର ‘ଡବଲ୍ ଇଞ୍ଜିନ୍’ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଦୁଇ ଦିନିଆ ଗସ୍ତରେ ଯାଇଥିବା ପ୍ରଧାମନ୍ତ୍ରୀ ମୋଦୀ ଗୁଜରାଟରେ ପ୍ରଥମ କରି ଆୟୋଜନ କରାଯାଇଥିବା ୩୬ତମ ଜାତୀୟ କ୍ରୀଡ଼ା ଉଦ୍ଘାଟନ କରିବେ।
ଆଜି ସୁରତରେ ପହଞ୍ଚିବା ବେଳେ ଅସଂଖ୍ୟ ଜନତା ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସୁରତବାସୀ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଆୟୋଜିତ ରାଲିରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ପ୍ରଧାମନ୍ତ୍ରୀ ମୋଦୀ କହିଲେ, ଗୁଜରାଟରେ ‘ଡବଲ୍ ଇଞ୍ଜିନ୍’ ସରକାର ଗଠନ କରାଯିବା ପରେ ଘର ତିଆରି ମଧ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ସୁରତରେ ଥିବା ଗରିବ ଓ ମଧ୍ୟବିତ୍ତ ଶ୍ରେଣୀଙ୍କୁ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ‘ଆୟୁଷ୍ମାନ୍ ଭାରତ’ ଯୋଜନାରେ ଏଯାବତ୍ ଦେଶରେ ପ୍ରାୟ ୪ କୋଟି ଗରିବ ରୋଗୀ ମାଗଣା ଚିକିତ୍ସିତ ହୋଇଛନ୍ତି। ସେଥିରୁ ଗୁଜରାଟରେ ୩୨ ଲକ୍ଷ ହୋଇଥିବା ବେଳେ ୧.୨୫ ଲକ୍ଷ ହେଉଛନ୍ତି ସୁରତର।