ବାଂଲାଦେଶରେ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ବନ୍ଦ ନେଇ ବିକ୍ଷୋଭ

0

ବାଂଲାଦେଶର ଗାଏବାନ୍ଧା ଜିଲାରେ ମୌଳବାଦୀଙ୍କ ବିରୋଧ ଯୋଗୁଁ ଭଗବାନ ରାମଙ୍କ ସର୍ବବୃହତ ପ୍ରତିମୂର୍ତ୍ତି ନିର୍ମାଣ ବନ୍ଦ କରାଯାଇଛି। ଏହାକୁ ନେଇ ହିନ୍ଦୁମାନେ ପ୍ରତିବାଦ କରିଛନ୍ତି। ଢାକା ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏହି ଘଟଣାର ପ୍ରତିବାଦ କରି ଏକ ମଶାଲ ରାଲି କରି ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପୁନଃ ଆରମ୍ଭ କରିବାକୁ ଦାବି କରିଥିଲେ। ଗାଏବାନ୍ଧାର ପଳାଶବାରୀେର ଦେଶର ଭଗବାନ ରାମଙ୍କ ସର୍ବବୃହତ୍‌ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲୁଥିଲା। ଅଶୀ ପ୍ରତିଶତ କାମ ସମାପ୍ତ ହୋଇଛି; କିନ୍ତୁ ପ୍ରକଳ୍ପଟି ଏବେ ମୌଳବାଦୀଙ୍କ ନିଶାଣରେ ରହିଛି। ପ୍ରକଳ୍ପକୁ ନେଇ ବଢୁଥିବା ଉତ୍ତେଜନା ମଧ୍ୟରେ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଇଛି।

ଗାଏବାନ୍ଧା ପଳାଶବାରୀ କୋମୋରପୁର ଶ୍ରୀ ଶ୍ରୀ ରାଧା ଗୋବିନ୍ଦ ମନ୍ଦିର ସମିତିର ପ୍ରତିଷ୍ଠାତା ଏବଂ ସଭାପତି ହରିଚନ୍ଦ୍ର ଦାସଙ୍କ ସୂଚନାନୁଯାୟୀ ପ୍ରଭୁ ରାମଙ୍କ ୮୧ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିର ୮୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଛି। ତେବେ କିଛି ମୌଳବାଦୀ ଗୋଷ୍ଠୀ ଏବେ ଆମକୁ ନିର୍ମାଣ ବନ୍ଦ କରିବାକୁ ବାଧ୍ୟ କରୁଛନ୍ତି। ସେ ଆହୁରି କହିଛନ୍ତି ସେମାନେ ଭୟଭୀତ ଅଛନ୍ତି ଏବଂ ସେଥିପାଇଁ କାମ ବନ୍ଦ କରାଯାଇଛି। ବାଂଲାଦେଶର ପ୍ରମୁଖ ସଂଖ୍ୟାଲଘୁ ସଂଗଠନ ବାଂଲାଦେଶ ହିନ୍ଦୁ-ବୌଦ୍ଧ-ଖ୍ରୀଷ୍ଟିଆନ ଏକତା ପରିଷଦର କେନ୍ଦ୍ରୀୟ କମିଟି ସାମ୍ପ୍ରଦାୟିକ ବିପଦକୁ ରୋକିବା ଏବଂ ଏହି ଘଟଣାଗୁଡ଼ିକୁ ଦୂର କରିବା ପାଇଁ ତୁରନ୍ତ ଏବଂ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ସରକାରଙ୍କୁ ନିବେଦନ କରିଛି। ଗାଏବାନ୍ଧାର ରାଧା-ଗୋବିନ୍ଦ ମନ୍ଦିର ଭାଙ୍ଗିବା ପାଇଁ ଜାରି ରହିଥିବା ଧମକ ଉପରେ ପରିଷଦ ଚିନ୍ତା ପ୍ରକାଶ କରିଛି। ଏପରି ଘଟଣା ସାରା ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବକୁ ଗୁରୁତର ଭାବେ କ୍ଷତି ପହଞ୍ଚାଇପାରେ ବୋଲି ପରିଷଦ ତରଫରୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.