ଶେଖ ହସିନା ଫେରିବେ ବାଂଲାଦେଶ! ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଲେ ମନର କଥା
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚଳିତବର୍ଷ ସ୍ୱଦେଶ ଲେଉଟି ଯିବେ ବୋଲି ଘୋଷଣା କରିଛନ୍ତି। ୫ ଅଗଷ୍ଟ ୨୦୨୪ରେ କ୍ଷମତାଚ୍ୟୁତ ହେବା ପରେ ହସିନା ଭାରତରେ ଶରଣ ନେଇଛନ୍ତି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଅନେକବାର ତାଙ୍କ ପ୍ରତ୍ୟାର୍ପଣ ଦାବି କରିଥିଲା। ଗତବର୍ଷ ବାଂଲାଦେଶର ଏକ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ ହସିନାଙ୍କୁ ଫାଶୀଦଣ୍ଡାଦେଶ କରିଥିଲା। ଏଥିରେ ହସିନାଙ୍କ ଫେରିଯିବା ଘୋଷଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଏକ ଗଣମାଧ୍ୟମ ଚ୍ୟାନେଲକୁ ହସିନା ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ ମୋ ବିରୋଧରେ ଯେଉଁ ରାୟ ଆସିଛି, ତାହା ନ୍ୟାୟ ନୁହେଁ। ଏହା ଏକ ଅବୈଧ ଓ ଅସାମ୍ବିଧାନିକ ପ୍ରକ୍ରିୟା, ଯାହା ରାଜନୀତି ପ୍ରେରିତ। ଆବାମୀ ଲିଗ୍ କୁ ଦୁର୍ବଳ କରିବା ପାଇଁ ନ୍ୟାୟପାଳିକାକୁ ରାଜନୈତିକ ପ୍ରତିଶୋଧର ସାଧନ କରିଦିଆଯାଇଛି। ତେବେ ବାଂଲାଦେଶରେ ଏହା ନୂଆ କଥା ନୁହେଁ, ଏପରି ଉଦ୍ୟମ ପୂର୍ବରୁ ମଧ୍ୟ ଅନେକବାର ହୋଇଛି। ହେଲେ ଏହି ଉଦ୍ୟମ ସଫଳ ହୋଇ ନଥିଲା ଓ ଆଗକୁ ମଧ୍ୟ ସଫଳ ହେବନି।