ଭୁବନେଶ୍ୱର : କିଏ ହେବେ ଓଡ଼ିଶାର ପରବର୍ତ୍ତୀ DGP ? ଆଜି ନିର୍ଣ୍ଣାୟକ ବୈଠକ । ୧୧ IPSଙ୍କ ମଧ୍ୟରୁ ୩ ଜଣଙ୍କ ନାଁରେ ବାଜିପାରେ ମୋହର । ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ଚୟନ ପ୍ରକ୍ରିୟା ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ । ଆଜି UPSCର ଏମ୍ପାନେଲମେଣ୍ଟ କମିଟି ବୈଠକ ବସିବାକୁ ଯାଉଛି । ଓଡ଼ିଶା ସରକାର ପଠାଇଥିବା ୧୧ ଜଣ ଯୋଗ୍ୟ ବରିଷ୍ଠ IPS ଅଧିକାରୀଙ୍କ ନାଁ ମଧ୍ୟରୁ ୩ ଜଣଙ୍କୁ ନେଇ ଏକ ପ୍ୟାନେଲ ପ୍ରସ୍ତୁତ ହେବ । ଏହି ତିନି ନାଁ ମଧ୍ୟରୁ ରାଜ୍ୟ ସରକାର ଜଣଙ୍କୁ ପରବର୍ତ୍ତୀ DGP ଭାବେ ନିଯୁକ୍ତ କରିବେ। ବର୍ତ୍ତମାନର DGP ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକାଳ ଅଗଷ୍ଟ ୧୬ରେ ଶେଷ ହେଉଛି । ତା’ପୂର୍ବରୁ ନୂଆ DGP ନିଯୁକ୍ତି ପାଇଁ ପ୍ରକ୍ରିୟା ଆଗକୁ ବଢ଼ିଛି। ଗତ ମେ’ ମାସରେ ଓଡ଼ିଶା ସରକାର ୧୧ ଜଣ ଯୋଗ୍ୟ IPS ଅଧିକାରୀଙ୍କ ତାଲିକା UPSCକୁ ପଠାଇଥିଲେ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ UPSC ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ୩ ଜଣଙ୍କ ନାଁ ସୁପାରିସ କରିବ । ଯୋଗ୍ୟତା ପାଇଁ ଅତିକମରେ ୨୫ ବର୍ଷର ସେବା ସହ DGP ପଦ ଖାଲି ହେବା ତାରିଖଠାରୁ ଅତିକମରେ ୬ ମାସର ଅବଶିଷ୍ଟ ଚାକିରି କାଳ ରହିବା ଆବଶ୍ୟକ । ତାଲିକାରେ ୧୯୯୦ ବ୍ୟାଚ୍ ର ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚ୍ ର ସୁଶାନ୍ତ କୁମାର ନାଥ ଓ ଆର୍ .ପି. କୋଚେ, ୧୯୯୪ ବ୍ୟାଚ୍ ର ସଞ୍ଜୀବ ପଣ୍ଡା ଓ ୟେଶୱନ୍ତ କୁମାର ଜେଠୱା ରହିଛନ୍ତି । ସେହିପରି ୧୯୯୫ ବ୍ୟାଚ୍ ର ରିତୁ ଅରୋରା, ସୌମେନ୍ଦ୍ର ପ୍ରିୟଦର୍ଶୀ, ସନ୍ତୋଷ ବାଲା ଓ ପି.ଏସ୍. ରଣପିସେ ଏବଂ ୧୯୯୬ ବ୍ୟାଚ୍ ର ଅରୁଣ ବୋଥ୍ରା ଓ ସୁନୀତା କାକ୍ରାନଙ୍କ ନାଁ ମଧ୍ୟ ବିଚାରାଧୀନ ରହିଛି । ବରିଷ୍ଠତା, ସେବା ରେକର୍ଡ ଓ ଅଭିଜ୍ଞତାକୁ ନେଇ କେତେକ ନାଁ ଚର୍ଚ୍ଚାରେ ଥିଲେ ମଧ୍ୟ UPSC ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ୩ ଜଣିଆ ପ୍ୟାନେଲ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ତେଣୁ ଆଜିର ବୈଠକ ପରେ କେଉଁ ତିନି ଅଧିକାରୀଙ୍କ ନାଁ ଚୂଡ଼ାନ୍ତ ପ୍ୟାନେଲରେ ସ୍ଥାନ ପାଉଛି, ତା’ଉପରେ ନଜର ରହିଛି ।