ଭୁବନେଶ୍ୱର : ତୁଟୁନି ରେଭେନ୍ସା ବିବାଦ । ଗୋଟିଏ ପଟେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଆଉ ଗୋଟିଏ ପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ। ଇଷ୍ଟ ହଷ୍ଟେଲ ଅନ୍ତେବାସୀଙ୍କ ପ୍ରତିବାଦ ଅନଶନରୁ ଜନ୍ମ ନେଇ ଥିବା ଏହି ବିବାଦରେ ବାହରି ପାରୁନି ସମାଧାନର ସୂତ୍ର । ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିକଟରେ ଶିକ୍ଷକ ସଂଘ ବିଧାୟକଙ୍କ ଆଚରଣ ଏବଂ ଉଚ୍ଚାରଣକୁ ନେଇ ଅଭିଯୋଗ ଆଣିଥିବା ବେଳେ, ବିଧାନସଭା ବାଚସ୍ପତିଙ୍କୁ ପତ୍ର ଲେଖି ହଷ୍ଟେଲ ଚିଫ ୱାର୍ଡେନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ବିଧାୟକ ।
କେବଳ ସେତିକି ନୁହେଁ ଘଟଣା ସମ୍ପର୍କରେ କୁଳାଧିପତି ରାଜ୍ୟପାଳଙ୍କୁ ମଧ୍ୟ ଅବଗତ କରାଯିବ ବୋଲି କହିଛନ୍ତି ବିଧାୟକ । ଏସବୁ ଭିତରେ ଏକ ସାମ୍ବାଦିକ ସମ୍ମିଳନୀ କରିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ । କଟକ ସଦର ବିଧାୟକ ସିନେଟ୍ ସଦସ୍ୟ ବୋଲି ଆମ ପାଖରେ କୌଣସି ତଥ୍ୟ ନାହିଁ । ବିଧାୟକ ନୋମିନେଟ ହୋଇ ଥାଇ ପାରନ୍ତି କିନ୍ତୁ ଏପର୍ଯ୍ୟନ୍ତ ସିନେଟ୍ ଗଠନ ହୋଇ ନାହିଁ ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ ବୋଲି କହିଛି ସଂଘ ।
ବିଧାୟକ, ଚିଫ ୱାର୍ଡେନଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଲେଖି ଥିବା ପତ୍ର ଯଦି ପ୍ରତ୍ୟାହାର କରନ୍ତି, ତେବେ ଆଗକୁ ସମାଧାନର ବାଟ ବାହାରିବାର ସମ୍ଭାବନା ରହିଛି ବୋଲି କହିଛି ଶିକ୍ଷକ ସଂଘ । ଅନ୍ୟପଟେ ଏ ସଂପର୍କରେ କୁଳାଧିପତି ତଥା ରାଜ୍ୟପାଳଙ୍କୁ ଭେଟିବି ବୋଲି କହିଛନ୍ତି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ । ରେଭେନ୍ସାରେ ସୁସ୍ଥ ବାତାବରଣ ଫେରି ଆସୁବୋଲି ସେ କହିଛନ୍ତି ।