ରୁଷ ତୈଳ କିଣୁଥିବା ଭାରତକୁ ଆମେରିକାର ବଡ଼ ଝଟକା! ସେନେଟ୍ରେ ପାସ୍ ହେଲା ପ୍ରତିବନ୍ଧକ ବିଲ୍
ୱାଶିଂଟନ୍: ରୁଷ ଓ ଇରାନ ଉପରେ ଆର୍ଥିକ ଚାପ ବଢ଼ାଇବାକୁ ଆମେରିକା ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଶୁକ୍ରବାର ଆମେରିକୀୟ ସେନେଟ୍ରେ ‘Lindsey O. Graham Sanctioning Russia and Iran Act of 2026’ ବିଲ୍ ପାସ୍ ହୋଇଛି। ଏହି ବିଲ୍ ରୁଷର ତୈଳ ଓ ଗ୍ୟାସ କିଣୁଥିବା ଦେଶଗୁଡ଼ିକ ଉପରେ ମଧ୍ୟ ଚାପ ବଢ଼ାଇବାର ବାଟ ଖୋଲିପାରେ।
ସେନେଟ୍ରେ ବିଲ୍ଟି ୮୬-୧୧ ଭୋଟରେ ପାସ୍ ହୋଇଛି। ଏବେ ଏହା ପ୍ରତିନିଧି ସଭାକୁ ଯିବ। ସେଠାରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ମିଳିଲେ ଏହା ଆଇନରେ ପରିଣତ ହେବ। ରୁଷ-ୟୁକ୍ରେନ ଯୁଦ୍ଧ ପରଠାରୁ ଭାରତ ରୁଷଠାରୁ ବିପୁଳ ପରିମାଣରେ ରିହାତି ଦରରେ ଅଶୋଧିତ ତୈଳ କିଣୁଛି। ଏହି କାରଣରୁ ଆମେରିକାର ନୂଆ ବିଲ୍କୁ ନେଇ ଭାରତ ପାଇଁ ଚିନ୍ତା ବଢ଼ିଛି।
ବିଲ୍ଟି ଆଇନରେ ପରିଣତ ହେଲେ ରୁଷର ଶକ୍ତି ଉତ୍ସ କିଣୁଥିବା ଦେଶଗୁଡ଼ିକରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ସର୍ବାଧିକ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କୁ ମିଳିପାରେ। ତେବେ ଏହା ଭାରତ ଉପରେ ତୁରନ୍ତ କିମ୍ବା ସ୍ୱୟଂଚାଳିତ ଭାବେ ଲାଗୁ ହେବ ନାହିଁ।
ପୂର୍ବରୁ ପ୍ରସ୍ତାବିତ ବ୍ୟବସ୍ଥାରେ ରୁଷ ତୈଳ କିଣୁଥିବା ଦେଶଗୁଡ଼ିକ ଉପରେ ଆମେରିକା ୫୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇପାରିବାର ବ୍ୟବସ୍ଥା ଥିଲା। ତେବେ ସଂଶୋଧିତ ବିଲ୍ରେ ଏହାକୁ ସର୍ବାଧିକ ୧୦୦% କରାଯାଇଛି। ଏହି ବ୍ୟବସ୍ଥା ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଶୁଳ୍କ ଲାଗୁ ହେଲେ ଭାରତରୁ ଆମେରିକାକୁ ରପ୍ତାନି ହେଉଥିବା ଇଞ୍ଜିନିୟରିଂ ସାମଗ୍ରୀ, ଔଷଧ, ରାସାୟନିକ ପଦାର୍ଥ, ବୟନ ଓ ଅଟୋ ପାର୍ଟସ୍ ଭଳି କ୍ଷେତ୍ର ପ୍ରଭାବିତ ହୋଇପାରେ।
ବିଲ୍ରେ ଆମେରିକାର ରାଷ୍ଟ୍ରପତିଙ୍କୁ ଜାତୀୟ ସ୍ୱାର୍ଥ ଆଧାରରେ ପ୍ରସ୍ତାବିତ ପ୍ରତିବନ୍ଧକୁ ଛାଡ଼, ବିଳମ୍ବ କିମ୍ବା ପରିବର୍ତ୍ତନ କରିବାର କ୍ଷମତା ଦିଆଯାଇଛି। ତେଣୁ ଆଗାମୀ ଦିନରେ ଭାରତ ଉପରେ କୌଣସି ଶୁଳ୍କ ଲାଗିବ କି ନାହିଁ, ତାହା ଆମେରିକୀୟ ପ୍ରଶାସନର ନିଷ୍ପତ୍ତି ଉପରେ ନିର୍ଭର କରିବ। ଏହି ବିଲ୍ ଆଗକୁ ବଢ଼ିବା ସହ ଭାରତ-ଆମେରିକା ରଣନୈତିକ ସମ୍ପର୍କ ଓ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଉପରେ ଏହାର ପ୍ରଭାବକୁ ନେଇ ନଜର ରହିଛି।