ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପୁଣି ରାଜନୈତିକ ଉତ୍ତେଜନା । ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଗାଡ଼ି ଉପରକୁ ପଥର-ଜୋତା ମାଡ଼ ହୋଇଛି । ପଶ୍ଚିମବଙ୍ଗରେ ଟିଏମ୍ ସି-ବିଜେପି ରାଜନୈତିକ ଲଢ଼େଇ ମଧ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଛି । ମମତା ବାନାର୍ଜୀଙ୍କ ଗାଡ଼ି ଉପରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ହାଲିସହର ଅଞ୍ଚଳରେ ଆକ୍ରମଣ ହୋଇଛି । ତାଙ୍କ ଗାଡ଼ିକୁ ଘେରି ବିକ୍ଷୋଭକାରୀମାନେ ପଥର, ଇଟା, ଜୋତା-ଚପଲ, ପାଣି ବୋତଲ ଓ କାଦୁଅ ଫିଙ୍ଗିଥିବା ଅଭିଯୋଗ ହୋଇଛି । ମମତା ଟିଏମସି କର୍ମୀ ବିର୍ଜୁ କେଓଟଙ୍କ ପରିବାରକୁ ଭେଟିବା ପାଇଁ ଯାଉଥିବା ସମୟରେ ଏହି ଘଟଣା ଘଟିଛି ।
ବିର୍ଜୁ ପୂର୍ବତନ କାଞ୍ଚରାପଡ଼ା ପୌର କାଉନସିଲର ଜେନି ଶର୍ମା କେଓଟଙ୍କ ସ୍ୱାମୀ। ଚାନ୍ଦା ଆଦାୟ, ଆର୍ଥିକ ଠକେଇ ଏବଂ ଅସ୍ତ୍ର ଆଇନ ସମେତ ବିଭିନ୍ନ ଅଭିଯୋଗରେ ଅଗଷ୍ଟ ୭ରେ ହାଲିସହର ପୋଲିସ ତାଙ୍କୁ ଗିରଫ କରିଥିଲା । କୋର୍ଟ ତାଙ୍କୁ ୫ ଦିନିଆ ପୋଲିସ ହେପାଜତକୁ ପଠାଇଥିବାବେଳେ ସେହିଦିନ ପୋଲିସ ଷ୍ଟେସନରେ ଅସୁସ୍ଥ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ପକ୍ଷରୁ ପୋଲିସ ହେପାଜତରେ ମାଡ଼ ଓ ନିର୍ଯାତନା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି ।
ଅନ୍ୟପଟେ ପୋଲିସ ପକ୍ଷରୁ ହୃଦଘାତ କିମ୍ବା ସ୍ୱାସ୍ଥ୍ୟଜନିତ କାରଣକୁ ମୃତ୍ୟୁର ସମ୍ଭାବ୍ୟ କାରଣ ଭାବେ ଦର୍ଶାଯାଇଛି। ଘଟଣାକୁ ନେଇ ମମତା ବାନାର୍ଜୀ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ଗାଡ଼ି ଉପରକୁ ବଡ଼ ବଡ଼ ପଥର ଫିଙ୍ଗାଯାଇଥିବା ଏବଂ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଗାଡ଼ିର ଝରକା ଖୋଲା ଥିଲେ ତାଙ୍କ ମୁଣ୍ଡ ଫାଟିଯାଇଥାନ୍ତା ବୋଲି ସେ କହିଛନ୍ତି । ଏପରିକି ଗାଡ଼ିରେ ଥିବା ସମସ୍ତଙ୍କ ଜୀବନ ଯାଇପାରିଥାନ୍ତା ବୋଲି ମମତା କହିଛନ୍ତି। ଏହାକୁ ସେ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ବୋଲି ଅଭିହିତ କରିଛନ୍ତି । ତାଙ୍କ ଗସ୍ତ ସମ୍ପର୍କରେ ପୂର୍ବରୁ ସୂଚନା ଥିବା ସତ୍ତ୍ୱେ ପୋଲିସ ନିରବ ଦର୍ଶକ ସାଜିଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।
ସ୍ଥାନୀୟ ପୋଲିସ ଉପରୁ ତାଙ୍କର ବିଶ୍ୱାସ ହଟିଯାଇଥିବା କହିବା ସହ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାରକୁ ସେ ଦାୟୀ କରିଛନ୍ତି । ଘଟଣା ସମୟରେ ଟିଏମ୍ ସି ସାଂସଦ କଲ୍ୟାଣ ବାନାର୍ଜୀ ଓ ଡୋଲା ସେନ୍ ମଧ୍ୟ ମମତାଙ୍କ ସହ ଥିଲେ । ପରେ ପୋଲିସ ହସ୍ତକ୍ଷେପ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ସହ ମମତାଙ୍କ କନଭୟକୁ ସୁରକ୍ଷିତ ଭାବେ ସେଠାରୁ ବାହାର କରିଥିଲା । ଘଟଣାକୁ କେତେକ ବିଜେପି ନେତା ମଧ୍ୟ ନିନ୍ଦା କରିଛନ୍ତି । ଏପରି ହିଂସା ‘ବଙ୍ଗଳାର ସଂସ୍କୃତି ନୁହେଁ ବୋଲି କହିବା ସହ ଦୋଷୀଙ୍କ ବିରୋଧରେ ପଦକ୍ଷେପ ହେବା ଉଚିତ ବୋଲି ସେମାନେ କହିଛନ୍ତି । ଏଥିସହ ଟିଏମସି ଏହାକୁ ପୂର୍ବ ଯୋଜନାବଦ୍ଧ ଆକ୍ରମଣ ବୋଲି ଅଭିଯୋଗ କରିଛି ।