ଜୀବନକୁ ନିଜ ବାଗେର ବଞ୍ଚିବାର ମୂଳମନ୍ତ୍ରଟି କ’ଣ? ସମସ୍ତଙ୍କୁ ଆପଣା କରିବା ଓ ନିଜେ ଖୁସି ରହିବାର ସୂତ୍ରଟି କ’ଣ? ହରାଇବାର ଦୁଃଖକୁ ପାଇବାର ସୁଖରେ ରୂପାନ୍ତରିତ କରିବାର କଳାଟି କେଉଁଠି ରହିଛି? ଏ ସବୁର ଉତ୍ତର ନେଇ ଉଭା ହୁଅନ୍ତି ପିଙ୍କି ପ୍ରଧାନ। ଜୀବନ ପ୍ରତି ବିତୃଷ୍ଣା, ବିଫଳତାକୁ ନେଇ କ୍ଷୋଭ, ଅପ୍ରାପ୍ତିକୁ ନେଇ କୋହ, ଅନ୍ୟ ପାଖରୁ ପୀଡ଼ା ଓ ପ୍ରତ୍ୟାଖ୍ୟାନ ପାଇବାର ବ୍ୟଥା, ସଂସାରକୁ ଅସାର ଓ ନିଜକୁ ଅଲୋଡ଼ା ମଣିବାର ଅନୁଭବ ଯେତେବେଳେ ମଣିଷକୁ ଆକ୍ତାମାକ୍ତା କରେ, ଶବ୍ଦଜ ବିଶଲ୍ୟକରଣୀ ପାଲଟେ ‘ପିଙ୍କିସୂତ୍ର’।

ପ୍ରାୟ ଦୁଇ ଦଶନ୍ଧି ଧରି ଦୈନିକ ଖବରକାଗଜ ‘ସମ୍ବାଦ’, ‘ସମାଜ’ ଓ ‘ପ୍ରମେୟ’ରେ ପାଠକଙ୍କ ପ୍ରଶ୍ନର ଉତ୍ତର ମାଧ୍ୟମରେ ସେମାନଙ୍କ ବ୍ୟକ୍ତିଗତ ଜୀବନର ସମସ୍ୟା ସମାଧାନର ସୂତ୍ର ବତାଇ ଆସିଛନ୍ତି ପିଙ୍କି ପ୍ରଧାନ। ବିଶେଷ କରି ଯୁବପିଢ଼ି ସାମ୍ନା କରୁଥିବା ପ୍ରେମ, ସମ୍ପର୍କ, ମାନସିକ ଚାପ, ନିଃସଙ୍ଗତା, ବନ୍ଧୁତାରେ ଦେଖା ଦେଉଥିବା ଆହ୍ୱାନ ତଥା ସାମାଜିକ ଓ ଆନ୍ତରିକ ଦ୍ୱନ୍ଦ୍ୱରୁ ମୁକୁଳିବାର ସରଳ ସୂତ୍ର ବତାଇ ଦିଅନ୍ତି ପିଙ୍କି। ପ୍ରାୟ ଅର୍ଦ୍ଧସହସ୍ର ଅନୁରୂପ ପ୍ରଶ୍ନୋତ୍ତରୀ ସମ୍ବଳିତ ଏ ପୁସ୍ତକ ସବୁପିଢ଼ିର ପାଠକଙ୍କୁ, ବିଶେଷକରି ତରୁଣ ଓ ଯୁବବର୍ଗଙ୍କୁ ଜୀବନ ଓ ଚାରିପାଖର ପୃଥିବୀକୁ ଏକ ସକାରାତ୍ମକ ଦୃଷ୍ଟିକୋଣରୁ ଦେଖିବାର ସୁଯୋଗ ଦେବ।

“ଆସ କଥା ହେବା : Let’s Talk” Campaign
‘ପିଙ୍କିସୂତ୍ର’ ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମ କେବଳ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ସୀମିତ ନ ରହି, ଏହା ମାଧ୍ୟମରେ “ଆସ କଥା ହେବା : Let’s Talk” ନାମରେ ଏକ ନୂଆ ସାମାଜିକ ଅଭିଯାନର ଶୁଭାରମ୍ଭ ହୋଇଅଛି। ଆଜିର ଯୁବପିଢ଼ିର ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା, ଅବସାଦ ଓ ଆତ୍ମହତ୍ୟା ପ୍ରବଣତାର ପ୍ରତିରୋଧ, ତଥା ଖୋଲା ମନରେ ଭାବର ଆଦାନ-ପ୍ରଦାନକୁ ପ୍ରୋତ୍ସାହିତ କରି ଏକ ସୁସ୍ଥ ସମାଜ ଗଠନ ଦିଗରେ ସାମାଜିକ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ବିନମ୍ର ଲକ୍ଷ୍ୟ। ଏହି ଅଭିଯାନର ପ୍ରଥମ ପଦକ୍ଷେପ ଭାବେ ବିଶେଷଜ୍ଞମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଆୟୋଜିତ ହେଲା।

ଲେଖିକାଙ୍କ ସମ୍ବନ୍ଧରେ:
ଓଡ଼ିଆ ମନୋରଞ୍ଜନ ଜଗତରେ ଏକ ପରିଚିତ ନାମ ପିଙ୍କି ପ୍ରଧାନ। ଜଣେ ଧୂରୀଣ ଅଭିନେତ୍ରୀ, ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶିକା, ଗାୟିକା ଓ ସାମାଜିକ କର୍ମୀ ଭାବେ ଖ୍ୟାତି ଅର୍ଜନ କରିଥିବା ପିଙ୍କି ଖବରକାଗଜରେ ନିଜର ନିୟମିତ ସ୍ତମ୍ଭ ପାଇଁ ମଧ୍ୟ ପ୍ରସିଦ୍ଧ। ମୁମ୍ବାଇଠାରେ MTVର ଜାତୀୟସ୍ତରୀୟ ରିଅଲିଟି ଶୋ ‘ପାୱାର ଇନ୍ ୟୋର୍ ହାଣ୍ଡ୍’ର ବିଜେତା ହେବାରେ ସେ ପ୍ରଥମ ଓଡ଼ିଆ। ସାମ୍ବାଦିକତା ଏବଂ ଗଣଯୋଗାଯୋଗରେ ସ୍ୱର୍ଣ୍ଣପଦକ ହାସଲ କରିଥିବା ପିଙ୍କି ଓଡ଼ିଶା ରାଜନୀତିରେ ମଧ୍ୟ ବେଶ ପରିଚିତ। ସ୍ୱାଧୀନତା ସଂଗ୍ରାମୀ ପରିବାରରୁ ଆସିଥିବା ପିଙ୍କି ଜଣେ ଦାୟିତ୍ୱବାନ ସେନାପତ୍ନୀ। ଭୁବନେଶ୍ୱରରେ ଅବସ୍ଥାନ କରୁଥିବା ପିଙ୍କି ପରିବାର, ରାଜନୀତି, ଚଳଚ୍ଚିତ୍ର ଓ ସ୍ତମ୍ଭ ରଚନା ଭିତରେ ନିଜକୁ ସକ୍ରିୟ ରଖିଛନ୍ତି।