କାଠମାଣ୍ଡୁ: ନେପାଳରେ ତାଣ୍ଡବ ରଚିଛି ପ୍ରଳୟଙ୍କରୀ ବନ୍ୟା । ୧୬୦ରୁ ଅଧିକ ମୃତ । ଶତାଧିକ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି । ୪୦୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନାହିଁ । ନିଖୋଜଙ୍କ ମଧ୍ୟରେ ୧୦୦ରୁ ଅଧିକ ଭାରତୀୟ ଥିବା ସୂଚନା ମିଳିଛି । ନେପାଳ-ତିବ୍ବତ ସୀମାନ୍ତ ହିମାଳୟ ଅଞ୍ଚଳରେ ବ୍ୟାପକ ଧ୍ୱଂସଲୀଳା ଘଟାଇଛି ଭୟଙ୍କର ଆକସ୍ମିକ ବନ୍ୟା ଓ ଭୂସ୍ଖଳନ । ବନ୍ୟାରେ ନେପାଳରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ନେପାଳ ପୋଲିସ ପକ୍ଷରୁ ୧୫୭ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ନିଖୋଜଙ୍କ ମଧ୍ୟରେ ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଟ୍ରେକର୍ ଅଛନ୍ତି । ନେପାଳ ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁସାରେ ୪୦୦ରୁ ଅଧିକ ପର୍ଯ୍ୟଟକଙ୍କ ପତ୍ତା ମିଳୁନାହିଁ । ସେମାନଙ୍କ ମଧ୍ୟରେ ପ୍ରାୟ ୩୪୦ ଜଣ ବିଦେଶୀ ନାଗରିକ। ଭାରତର ୧୪୦ରୁ ଅଧିକ, ଆମେରିକାର ୪୭ରୁ ଅଧିକ, ଅଷ୍ଟ୍ରେଲିଆର ୩୪ ଓ ବ୍ରିଟେନର ୩୩ ଜଣ ନିଖୋଜ ଥିବା କୁହାଯାଇଛି । ଏହାଛଡ଼ା ନେପାଳର ବହୁ ସ୍ଥାନୀୟ ଲୋକଙ୍କ ମଧ୍ୟ ପତ୍ତା ମିଳୁନାହିଁ । ପ୍ରାୟ ୧୧ ବିଦ୍ୟୁତ୍ ପ୍ରକଳ୍ପ ଧ୍ୱଂସ ହେବା ସହ ଭାସିଯାଇଛି ୧୯ ସେତୁ ।
ସେହିପରି ୨୫ ସାଟେଲାଇଟ୍ ଟାୱାର କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ହୋଇଥିବା ଅଞ୍ଚଳ ତୀର୍ଥଯାତ୍ରୀ ଓ ଟ୍ରେକିଂ କରୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ । ବିଶେଷ କରି କୈଳାସ ମାନସରୋବର ଯାତ୍ରା ସହ ଜଡ଼ିତ ଅନେକ ଯାତ୍ରୀ ଏହି ଅଞ୍ଚଳରେ ଥିବାରୁ ଭାରତ ସମେତ ବିଭିନ୍ନ ଦେଶରେ ନିଖୋଜ ପର୍ଯ୍ୟଟକଙ୍କ ପରିବାର ଚିନ୍ତାରେ ଅଛନ୍ତି । ସୀମାର ଅନ୍ୟପଟେ ତିବ୍ବତରେ ମଧ୍ୟ ସ୍ଥିତି ଭୟାବହ । ଗିରଙ୍ଗ ଅଞ୍ଚଳରେ ଅତିକମରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୬୫ ଜଣ ନିଖୋଜ ଅଛନ୍ତି । ଚୀନ୍ ର CCTVରେ ସାମ୍ନାକୁ ଆସିଥିବା ଦୃଶ୍ୟରେ ପାଣି, କାଦୁଅ ଓ ପଥରର ଏକ ବିଶାଳ ସ୍ରୋତ ସୀମାନ୍ତ ଅଞ୍ଚଳର କୋଠାବାଡ଼ି ଉପରେ ମାଡ଼ିଯାଉଥିବା ଦେଖାଯାଇଛି । ବନ୍ୟାର ପ୍ରଖର ସ୍ରୋତରେ ଘର, ରାସ୍ତା, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମି ଧୋଇଯାଇଛି । କେତେକ ଗାଁ ପ୍ରାୟ ନିଶ୍ଚିହ୍ନ ହୋଇଯାଇଥିବାବେଳେ ଯୋଗାଯୋଗ ଓ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ବିପର୍ଯ୍ୟୟରେ କେବଳ ସାଧାରଣ ଲୋକ ଓ ପର୍ଯ୍ୟଟକ ନୁହନ୍ତି, ଉଦ୍ଧାର ଓ ସୁରକ୍ଷା କାର୍ଯ୍ୟ ସହ ଜଡ଼ିତ କର୍ମଚାରୀମାନେ ମଧ୍ୟ ନିଖୋଜ ହୋଇଛନ୍ତି । ନେପାଳ ପୋଲିସର ଅତିକମରେ ୨୮ ଜଣ କର୍ମଚାରୀଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି । ସେନା ଓ ବିଦ୍ୟୁତ୍ ପ୍ରକଳ୍ପର କର୍ମଚାରୀମାନେ ମଧ୍ୟ ନିଖୋଜଙ୍କ ମଧ୍ୟରେ ଅଛନ୍ତି ।
ପାହାଡ଼ିଆ ରାସ୍ତା ଓ ସେତୁ ନଷ୍ଟ ହୋଇଯାଇଥିବାରୁ ଅନେକ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚିବା କଷ୍ଟକର ହୋଇପଡ଼ିଛି । ପାଣିର ସ୍ତର ଅଧିକ ଥିବାରୁ କେତେକ ପ୍ରଭାବିତ ଅଞ୍ଚଳରେ ହେଲିକପ୍ଟର ଅବତରଣ ମଧ୍ୟ ସମ୍ଭବ ହେଉନାହିଁ। ନିଖୋଜଙ୍କୁ ଠାବ କରିବା ପାଇଁ ବଡ଼ଧରଣର ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ପ୍ରଥମେ ଏକ ଭୂମିକମ୍ପ ଯୋଗୁଁ ଏତେ ବଡ଼ ବନ୍ୟା ଆସିଥାଇପାରେ ବୋଲି ଆଶଙ୍କା କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ବିଶ୍ଳେଷଣ ଏହି ଧାରଣାକୁ ବଦଳାଇ ଦେଇଛି । US Geological Survey (USGS) ଅନୁସାରେ ସେତେବେଳେ ରେକର୍ଡ ହୋଇଥିବା ସେସମିକ ଏନର୍ଜୀ ଭୂମିକମ୍ପରୁ ନୁହେଁ, ବରଂ ବିଶାଳ ଭୂସ୍ଖଳନରୁ ସୃଷ୍ଟି ହୋଇଥିଲା । ପ୍ରାଥମିକ ବିଶ୍ଳେଷଣରୁ ବରଫ, ପଥର ଓ ମାଟିର ବିଶାଳ ଅଂଶ ପାହାଡ଼ରୁ ତଳକୁ ଖସି ନଦୀରେ ପଡ଼ିବା ପରେ ହଠାତ୍ ବିପୁଳ ଜଳରାଶି ତଳମୁହାଁ ହୋଇ ମାଡ଼ି ଆସିଥିବା ଜଣାପଡ଼ୁଛି ।