ମେଟାର ବଡ଼ ନିଷ୍ପତ୍ତି, ରାତି ୧୨ଟାରୁ ସକାଳ ୬ଟା ଯାଏଁ ବନ୍ଦ ରହିବ ଇନଷ୍ଟା ଓ ଫେସବୁକ୍

0

ନୂଆଦିଲ୍ଲୀ : ପିଲାମାନଙ୍କର ସୋସିଆଲ ମିଡିଆରେ ଆକର୍ଷଣ ବଢୁଥିବା ନେଇ Meta ଉପରେ ଅଭିଯୋଗ ହୋଇଛି । ଆମେରିକାର ଶିଶୁ ଏବଂ କିଶୋରମାନଙ୍କ ସୁରକ୍ଷା ସହିତ ଜଡିତ ଏକ ବଡ଼ ମାମଲା ସମାପ୍ତ କରିବା ପାଇଁ ଏକ ସମାଧାନରେ ପହଞ୍ଚିଛି । ମେଟା ଏହି ମାମଲାରେ ପ୍ରାୟ ୧୭ ବିଲିୟନ ଡଲାର ଦେବା ସହ ପିଲାଙ୍କ ପାଇଁ ଏହାର ଆପ୍ସରେ ଅନେକ ପରିବର୍ତ୍ତନ କରିବ । ସେଥିପାଇଁ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଦିନକୁ ୨ ଘଣ୍ଟାର ଡିଫଲ୍ଟ ସୀମା ଏବଂ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆପ୍ ବ୍ୟବହାର ଉପରେ ମଧ୍ୟ ରୋକ ଲାଗିବ । ତେବେ ମେଟା ଏହି ମାମଲାର ସମାଧାନରେ କୌଣସି ଭୁଲ୍ ସ୍ବୀକାର କରିନାହିଁ ।

୨୦୨୩ ମସିହାରେ ଆମେରିକାର ଅନେକ ରାଜ୍ୟର ଆଟର୍ଣ୍ଣି ଜେନେରାଲ ମେଟା ବିରୋଧରେ ମାମଲା ରୁଜୁ କରିଥିଲେ। ମେଟା ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଏଭଳି କିଛି ଫିଚର୍ସ ତିଆରି କରିଥିଲା, ଯାହା ଦ୍ବାରା ପିଲା ଓ କିଶୋରମାନେ ଏହି ଆପ୍ଗୁଡ଼ିକୁ ଅଧିକ ସମୟ ବ୍ୟବହାର କରୁଥିଲେ ବୋଲି ଅଭିଯୋଗ ଥିଲା । ରାଜ୍ୟଗୁଡ଼ିକର ଅଭିଯୋଗ ଅନୁସାରେ, ଏହା ପିଲାଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଏଥିସହିତ ଏହି ବିପଦ ସମ୍ପର୍କରେ ୟୁଜର ଓ ଅଭିଭାବକଙ୍କୁ ଭ୍ରମିତ କରିବାର ମଧ୍ୟ ଅଭିଯୋଗ ହୋଇଥିଲା । ଅଗଷ୍ଟ ୨୦୨୬ରେ କାଲିଫର୍ଣ୍ଣିଆର ଫେଡେରାଲ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ବୁଝାମଣା ପରେ ଏବେ ଏହି ମାମଲା ଟ୍ରାଏଲ ଆକାରରେ ଆଗକୁ ବଢ଼ିବ ନାହିଁ। ତେବେ ଏଥିପାଇଁ କୋର୍ଟର ଅନ୍ତିମ ଅନୁମୋଦନ ଆବଶ୍ୟକ ।

ମେଟା ଦେବାକୁ ଥିବା ଟଙ୍କାକୁ ନେଇ ଭିନ୍ନ ଭିନ୍ନ ଆକଳନ ସାମ୍ନାକୁ ଆସିଛି । କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲଙ୍କ ଅନୁସାରେ, ବୁଝାମଣା ଅନୁସାରେ ରାଜ୍ୟଗୁଡ଼ିକୁ ୧୭ ବିଲିୟନ ଡଲାର ପର୍ଯ୍ୟନ୍ତ ମିଳିପାରେ । ମେଟା ନିଜ ବିବୃତ୍ତିରେ  ପ୍ରାୟ ୧୮ ବିଲିୟନ ଡଲାର ପେମେଣ୍ଟ କଥା କହିଛି। କିନ୍ତୁ ବିଦେଶୀ ଗଣମାଧ୍ୟମ ଅନୁସାରେ, ବୁଝାମଣାର ସର୍ବାଧିକ ରାଶି ପ୍ରାୟ ୧୬.୬୮ ବିଲିୟନ ଡଲାର ହୋଇପାରେ ବୋଲି ରିପୋର୍ଟ କରିଛି । ଏହି ରାଶିର ଏକ ବଡ଼ ଅଂଶ ନିର୍ଦ୍ଧାରିତ ଥିବାବେଳେ ୫ ବିଲିୟନ ଡଲାରରୁ ଅଧିକ ରାଶି କିଛି ସର୍ତ୍ତ ଉପରେ ନିର୍ଭର କରିବ। ୟୁଟ୍ୟୁବ୍ ଓ ଟିକଟକ୍ ମଧ୍ୟ ପିଲାଙ୍କ ସୁରକ୍ଷା ପାଇଁ ସମାନ ପଦକ୍ଷେପ ନେଲେ ଏବଂ ନିର୍ଦ୍ଧାରିତ ରାଶି ପ୍ରଦାନ କଲେ ହିଁ ଏହି ଅତିରିକ୍ତ ଟଙ୍କା ଜାରି ହେବ। ମେଟା କହିଛି ଯେ, ଏହି ବୁଝାମଣା ପାଇଁ ୨୦୨୬ର ତୃତୀୟ ତ୍ରୈମାସିକରେ ପ୍ରାୟ ୧୦ ବିଲିୟନ ଡଲାରର ଆଇନଗତ ଖର୍ଚ୍ଚ ରେକର୍ଡ କରିବ।

ୟୁଟ୍ୟୁବ୍‌ ଓ ଇନଷ୍ଟାଗ୍ରାମ ଆସିବ ବଡ଼ ପରିବର୍ତ୍ତନ :

୧୮ ବର୍ଷରୁ କମ୍ ବୟସର ୟୁଜରଙ୍କ ପାଇଁ ମୁଖ୍ୟ ପରିବର୍ତ୍ତନ ଲାଗୁ ହେବ। ଦିନକୁ ୨ ଘଣ୍ଟାର ସୀମା ରହିବ । ଏହାକୁ ବଢ଼ାଇବା କିମ୍ବା ହଟାଇବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ କରିବ। ଏଥିସହ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କିଶୋରମାନେ ଫେସବୁକ୍ ଓ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ ନାହିଁ । ସକାଳ ୮ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଡିଫଲ୍ଟ ଭାବେ ମଧ୍ୟ ନୋଟିଫିକେସନ୍ ମ୍ୟୁଟ୍ ରହିବ। ତଥାପି, ସିଧାସଳଖ ବାର୍ତ୍ତା ଏବଂ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସତର୍କତା ଦେଖାଯିବ। ସାମୟିକ ବିରତି ରିମାଇଣ୍ଡର – ନିରନ୍ତର ବ୍ୟବହାର ସମୟରେ କିଶୋରମାନଙ୍କୁ ନିୟମିତ ବିରତି ନେବା ପାଇଁ ରିମାଇଣ୍ଡର ଦେଖାଯିବ । ଲଗାତାର ଆପ୍ ବ୍ୟବହାର ସମୟରେ କିଶୋରମାନଙ୍କୁ ନିୟମିତ ବ୍ରେକ୍ ନେବା ପାଇଁ ରିମାଇଣ୍ଡର ଦିଆଯିବ । ଏହା ବ୍ୟତୀତ ବୟସ ଯାଞ୍ଚ ପାଇଁ ଅଧିକ କଡ଼ା ଟେକ୍ନୋଲୋଜି, ସହଜ ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍ ଏବଂ ପିଲାଙ୍କୁ କ୍ଷତି ପହଞ୍ଚାଇପାରୁଥିବା କଣ୍ଟେଣ୍ଟରୁ ସୁରକ୍ଷା ପାଇଁ ଅତିରିକ୍ତ ବ୍ୟବସ୍ଥା ଲାଗୁ ହେବ । ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠୁଥିବା କିଛି ଫିଚର୍ସ ଯେପରିକି ପବ୍ଲିକ୍ ଲାଇକ୍ କାଉଣ୍ଟ ଓ କିଛି ବ୍ୟୁଟି ଫିଲ୍ଟର ମଧ୍ୟରେ ସୀମିତ କରାଯିବ ।

ୟୁଟ୍ୟୁବ୍‌ ଓ ଟିକଟକ୍‌ ପାଇଁ ମଧ୍ୟ ସର୍ତ୍ତ:

ମେଟାର କହିବା ଅନୁସାରେ, କେବଳ ତା’ର ଆପ୍‌ରେ କଟକଣା ଲଗାଇଲେ ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହେବ ନାହିଁ। କାରଣ ପିଲାମାନେ ଅନ୍ୟ ପ୍ଲାଟଫର୍ମକୁ ଯାଇପାରନ୍ତି। ତେଣୁ ବୁଝାମଣାର ଅବଶିଷ୍ଟ ଟଙ୍କାର ଏକ ଅଂଶ ୟୁଟ୍ୟୁବ୍ ଓ ଟିକଟକ୍ ନେଉଥିବା ପଦକ୍ଷେପ ଉପରେ ନିର୍ଭର କରିବ। ଉଭୟ କମ୍ପାନୀକୁ ପିଲାଙ୍କ ପାଇଁ ଦୈନିକ ୧ ଘଣ୍ଟାର ବ୍ୟବହାର ସୀମା ରହିବ, ରାତିରେ ଆପ୍ ବ୍ୟବହାର ଉପରେ ରୋକ ଏବଂ ବୟସ ଯାଞ୍ଚ ଭଳି ପଦକ୍ଷେପ ନେବାକୁ ପଡ଼ିବ। ଏଥିସହିତ ମେଟା ସହ ସମାନ ନିର୍ଦ୍ଧାରିତ ରାଶି ମଧ୍ୟ ପ୍ରଦାନ କରିବାକୁ ପଡ଼ିବ ।

ହେଲେ ଅନ୍ୟପଟେ ମେଟା ଲଗାତାର ଏହି ଅଭିଯୋଗକୁ ଖଣ୍ଡନ କରିଆସିଛି। କିଶୋରମାନଙ୍କ ପାଇଁ ସୁରକ୍ଷିତ ଅନଲାଇନ୍ ଅନୁଭୂତି ତା’ର ପ୍ରାଥମିକତା ବୋଲି କମ୍ପାନୀ କହିଛି । ଏହି ବୁଝାମଣାରେ ମେଟା କୌଣସି ଭୁଲ କିମ୍ବା ଆଇନଗତ ଦାୟିତ୍ୱ ସ୍ୱୀକାର କରିନାହିଁ । ଅନ୍ୟ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ଏଭଳି ପଦକ୍ଷେପ ନେଲେ ହିଁ ଏହି ବୁଝାମଣା ସଫଳ ହେବ ବୋଲି ମେଟା କହିଛି ।

ଆମେରିକାର ଏହି ଚୁକ୍ତିର ସିଧାସଳଖ ଆଇନଗତ ପ୍ରଭାବ ଭାରତରେ ପଡ଼ିବ ନାହିଁ । କିନ୍ତୁ ପିଲାଙ୍କ ଅନଲାଇନ୍ ସୁରକ୍ଷା ନେଇ ବିଶ୍ୱର ବଡ଼ ଟେକ୍ କମ୍ପାନିଗୁଡ଼ିକ ଉପରେ ଚାପ ବଢ଼ିପାରେ । ଭାରତରେ ମଧ୍ୟ ପିଲାଙ୍କ ଡାଟା ସୁରକ୍ଷା ଓ ଅନଲାଇନ୍ ସୁରକ୍ଷାକୁ ନେଇ ନିୟମ ରହିଛି । ଆଗାମୀ ଦିନରେ ବୟସ ଯାଞ୍ଚ, ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍ ଓ ସ୍କ୍ରିନ୍ ଟାଇମ୍ ଭଳି ବ୍ୟବସ୍ଥା ଭାରତୀୟ ୟୁଜରଙ୍କ ପାଇଁ କିପରି ଲାଗୁ ହେଉଛି, ତାହା ଉପରେ ନଜର ରହିବ ।

Leave A Reply

Your email address will not be published.