ଏସୀୟ ଚମ୍ପିଆନ୍ସ ଟ୍ରଫି ହକି: ଭାରତ ଆସିବନି ପାକିସ୍ତାନ
ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧର ଓ ମୋହାଲିରେ ଆସନ୍ତା ଅକ୍ଟୋବର ୨୭ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଏଏଚ୍ଏଫ ଏସୀୟ ପୁରୁଷ ଚମ୍ପିଆନ୍ସ ଟ୍ରଫି ହକି -୨୦୨୬ ଖେଳାଯିବ। ଏଥିପାଇଁ ପାକିସ୍ତାନ ନିଜ ଦଳକୁ ଭାରତ ପଠାଇବାକୁ ସିଧାସଳଖ ମନା କରିଦେଇଛି। ପାକିସ୍ତାନ ହକି ଫେଡେରେସନ ଏସୀୟ ହକି ଫେଡେରେସନକୁ ଆନୁଷ୍ଠାନିକଭାବେ ଚିଠି ଲେଖି ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଅନ୍ୟ କୌଣସି ଦେଶକୁ ସ୍ଥାନାନ୍ତର କରିବାକୁ କିମ୍ବା ପାକିସ୍ତାନର ସମସ୍ତ ମ୍ୟାଚ ଗୁଡ଼ିକୁ କୌଣସି ନିରପେକ୍ଷ ଭେନ୍ୟୁରେ କରାଇବାକୁ ଅନୁରୋଧ କରିଛି। ପାକିସ୍ତାନ ହକି ଫେଡେରେସନର କାମଚଳା ସଭାପତି ମୌଇଉଦ୍ଦିନ ଅହମ୍ମଦ ୱିନି ଏକ ବିବୃତ୍ତିରେ କହିଛନ୍ତି ଯେ, ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ରାଜନୈତିକ ବିବାଦ ଏବଂ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖେଳାଳି ଓ ଅଫିସିଆଲମାନଙ୍କ ସୁରକ୍ଷା ଓ ସମ୍ମାନକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି। ପାକିସ୍ତାନ କ୍ରୀଡ଼ାକୁ ରାଜନୀତିଠାରୁ ଦୂରରେ ରଖିବାକୁ ଚାହେଁ ଏବଂ ଭାରତ ସମେତ ସମସ୍ତ ଦଳ ବିପକ୍ଷରେ ଖେଳିବାକୁ ପ୍ରସ୍ତୁତ। ମାତ୍ର ମ୍ୟାଚ ନିରପେକ୍ଷ ସ୍ଥାନରେ ହେବା ଆବଶ୍ୟକ ବୋଲି ୱିନି କହିଛନ୍ତି। ଅନ୍ୟପଟେ ହକି ଇଣ୍ଡିଅା ସମ୍ପାଦକ ତଥା ଏସୀୟ ହକି ଫେଡେରେସନ ଉପ ସଭାପତିି ଭୋଳାନାଥ ସିଂହ ପାକିସ୍ତାନ ହକି ଫେଡେରେସନର ଏହି ଦାବିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେ କହିଛନ୍ତି ଯେ, ଭେନ୍ୟୁରେ କୌଣସି ପରିବର୍ତ୍ତନ ହେବ ନାହିଁ। ଯଦି ପାକିସ୍ତାନ ଖେଳିବାକୁ ଚାହଁୁଛି; ତେବେ ତାକୁ ଭାରତ ଆସିବାକୁ ହିଁ ପଡ଼ିବ। ଯଦି ପାକିସ୍ତାନ ନଆସେ ତେବେ ଓମାନ କିମ୍ବା ବାଂଲାଦେଶକୁ ବିକଳ୍ପ ଦଳ ଭାବେ ସାମିଲ କରାଯିବ। ଭେନ୍ୟୁ ଚୂଡାନ୍ତ ହେବା ପରେ ପାକିସ୍ତାନ ହକି ଫେଡେରେସନର ଭାରତ ନଆସିବା ଓ ଭେନ୍ୟୁ ପରିବର୍ତ୍ତନ ନେଇ ଦାବି ଅଯୌତିକ ବୋଲି ଶ୍ରୀ ସିଂହ କହିଛନ୍ତି। ସୂଚନାଯୋଗ୍ୟ, ଏସୀୟ ଚମ୍ପିଆନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବର ୨୭ରୁ ନଭେମ୍ବର ୫ ପର୍ଯ୍ୟନ୍ତ ପଞ୍ଜାବର ଜଳନ୍ଧର ଓ ମୋହାଲିରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଭାରତ ସମେତ ପାକିସ୍ତାନ, ଚୀନ, ଜାପାନ, ମାଲେସିଆ ଓ ଦକ୍ଷିଣକୋରିଆ ଦଳ ଭାଗ ନେବାର ରହିଛି। ପାକିସ୍ତାନ ଦଳ ଭାରତ ଖେଳିବାକୁ ଆସିଲେ ଆମେ ସ୍ବାଗତ କରିବା ସହ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ସ୍ପଷ୍ଟ କରିଥିଲେ।