ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ, ଲହରୀ’କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

0

ଭୁବନେଶ୍ବର (ଆମ ଟିଭି): କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗୁଜରାଟର ଏକତାନଗଠାରେ ଆୟୋଜିତ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ‘ଲହରୀ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି।

 

ଚଳଚ୍ଚିତ୍ରର ପ୍ରଯୋଜକ ଝିଲ୍ଲିକ ଭଟ୍ଟାଚାର୍ଜୀ ଏବଂ ନିର୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାରକୁ ନେଇ ପୁରା ଟିମ୍ ଖୁସି ପ୍ରକାଶ କରିଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

 

ଝିଲ୍ଲିକ ମୋସନ୍ ପିକ୍ଚର୍ସ ପକ୍ଷରୁ ନିର୍ମିତ ‘ଲହରୀ’ରେ ମାଟିର କଥା ସାଙ୍ଗକୁ ରହିଛି ସଂସ୍କୃତି ପରମ୍ପରା ଓ ପର୍ଯ୍ୟଟନ ବିକାଶର କଥା। ସାମାଜିକ ଜୀବନରେ ମୂଳତତ୍ତ୍ୱ ସହ ନିଜକୁ ଯୋଡ଼ି ରଖିବା ଓ ବାପ-ପୁଅର ସମ୍ପର୍କ ଉପରେ ଆଧାରିତ ଏହାର କାହାଣୀ । ଓଡ଼ିଆ ମୌଳିକ କାହାଣୀ ତଥା ବାସ୍ତବ ଚିତ୍ରକୁ ନେଇ ଚଳଚ୍ଚିତ୍ର କଲେ ନିଶ୍ଚିତ ସଫଳତା ମିଳିବ, ଯାହା ଆଜି ପ୍ରମାଣିତ ହୋଇଛି। ତେବେ ଚଳଚ୍ଚିତ୍ରଟି କଲିକତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ବଡ଼ ପରଦାରେ ମଧ୍ୟ ଭଲ ବ୍ୟବସାୟିକ ପ୍ରଦର୍ଶନ କରିଥିଲା।

 

ଏଥ‌ିରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ସ୍ମୃତି ମହଲା, ଦୀପାନ୍ଧିତ, ସୁଶାନ୍ତ, ହର, ପ୍ରସେନଜିତ, ସ୍ଵସ୍ତିକ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଏହାଛଡ଼ା ଅତିଥି କଳାକାର ଭାବେ ଦେବାଶିଷ ପାତ୍ର ଓ ବାବୁସାନ ମହାନ୍ତି ଅଛନ୍ତି । ଏହି ଉତ୍ସବରେ ସାରା ଦେଶରୁ ବିଭିନ୍ନ ରାଜ୍ୟର ଚଳଚ୍ଚିତ୍ର ଜଗତରେ ଭିନ୍ନଭିନ୍ନ ବର୍ଗରେ ଶ୍ରେଷ୍ଠତ୍ୱ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି।

Leave A Reply

Your email address will not be published.