ଋଷର ପରମାଣୁ ଧମକକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା
ୱାସିଂଟନ୍: ଋଷ୍ ଓ ୟୁକ୍ରେନ ଯୁଦ୍ଧକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଯୁଦ୍ଧ ବନ୍ଦ ହେବାର ନା ଧରୁନି ଯାହା ଫଳରେ ସାରା ବିଶ୍ୱ ଏବେ ଚିନ୍ତାରେ । ୟୁକ୍ରେନ୍ ଯୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ କଥା କହିବା ବେଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ମଜା କରୁନାହାନ୍ତି ବୋଲି ଗୁରୁବାର ଦିନ ନ୍ୟୁୟର୍କରେ ‘ଡେମୋକ୍ରାଟିକ୍ ପାର୍ଟି’ର ଚାନ୍ଦା ଉଠାଣ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ସେ କହିଛନ୍ତି, ରାଜନୈତିକ ଆଦର୍ଶଗତ ବିବାଦ (ଶୀତଳ ଯୁଦ୍ଧ) ପରଠାରୁ ପ୍ରଥମ ଥର ପାଇଁ ବିଶ୍ବ ପ୍ରତି ପ୍ରଳୟଙ୍କରୀ ଆଣବିକ ଯୁଦ୍ଧର ଭୟ ଦେଖାଦେଇଛି। ଏବଂ, ୟୁକ୍ରେନ୍ ଯୁଦ୍ଧରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କ୍ରମଶଃ ଅଗ୍ରଗତି ହାସଲ କରୁଛନ୍ତି। ଆମେ ତାଙ୍କ ଅଗ୍ରଗତିର ପଥ ଆକଳନ କରିବାକୁ ଉଦ୍ୟମ କରୁଛୁ।
ସୂଚନାଯୋଗ୍ୟ, ୧୯୬୨ କ୍ୟୁବୀୟ କ୍ଷେପଣାସ୍ତ୍ର ସଙ୍କଟରେ ରାଷ୍ଟ୍ରପତି ଜନ୍ କେନେଡିଙ୍କ ଶାସନାଧୀନ ଯୁକ୍ତରାଷ୍ଟ୍ର ଆମେରିକା ଓ ନିକିତା ଖ୍ରୁସ୍ଚେଭ୍ଙ୍କ ଶାସନାଧୀନ ସୋଭିଏତ୍ ଦେଶ କ୍ୟୁବାରେ ସୋଭିଏତ୍ କ୍ଷେପଣାସ୍ତ୍ର ଥିବା କଥାକୁ ନେଇ ଆଣବିକ ଯୁଦ୍ଧ କରିବାକୁ ବାହାରି ଥିଲେ।
ପାଶ୍ଚାତ୍ୟ ରାଷ୍ଟ୍ର ସହଯୋଗରେ ତୀବ୍ର ପ୍ରତିରୋଧ କରୁଥିବା ୟୁକ୍ରେନ୍ର କିଛି ଅଂଶ ଦଖଲକୁ ନେବା ପାଇଁ ବିକଳ୍ପ ନ ମିଳିଲେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ମଧ୍ୟ ପୁଟିନ୍ ପ୍ରକାରାନ୍ତରେ ଧମକ ଦେଇଛନ୍ତି।