ନୂଆଦିଲ୍ଲୀ : ଗିରଫ ଓ ଅଟକ ରଖିବାର ସମୟସୀମାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୌଣସି ବ୍ୟକ୍ତିଙ୍କୁ ପୋଲିସ କିମ୍ବା ତଦନ୍ତକାରୀ ସଂସ୍ଥା ପ୍ରକୃତରେ ଅଟକ ରଖିବା ମୁହୂର୍ତ୍ତରୁ ୨୪ ଘଣ୍ଟାର ସମୟସୀମା ଆରମ୍ଭ ହେବ । ଗିରଫକୁ ଆନୁଷ୍ଠାନିକ ଭାବେ ରେକର୍ଡ କରାଯିବା ସମୟରୁ ନୁହେଁ । ଏହା ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସୁଜିତ ଦାସ ବନାମ ଭାରତ ସରକାର ମାମଲାର ଶୁଣାଣି କରି ଜଷ୍ଟିସ୍ ଉଜ୍ଜ୍ୱଳ ଭୂୟାଁ ଓ ଜଷ୍ଟିସ୍ ଅତୁଲ ଏସ୍ . ଚନ୍ଦୁରକରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, କୌଣସି ବ୍ୟକ୍ତିଙ୍କ ସ୍ୱାଧୀନତାକୁ ସୀମିତ କରି ତାଙ୍କୁ ଅଟକ ରଖାଯିବା ମୁହୂର୍ତ୍ତରୁ ସମ୍ବିଧାନର ଅନୁଚ୍ଛେଦ ୨୨(୨) ଅନୁସାରେ ୨୪ ଘଣ୍ଟାର ଗଣନା ଆରମ୍ଭ ହେବ । ଏହି ସମୟ ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇବା ବାଧ୍ୟତାମୂଳକ । ଏଥିରେ କେବଳ ଅଦାଲତକୁ ନେବା ପାଇଁ ଆବଶ୍ୟକ ଯାତ୍ରା ସମୟକୁ ବାଦ୍ ଦିଆଯାଇପାରିବ । ଯଦି ଏହି ସାମ୍ବିଧାନିକ ସମୟସୀମା ଅତିକ୍ରମ ହୁଏ ଏବଂ ବ୍ୟକ୍ତିଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇନଥାଏ, ତେବେ ତାଙ୍କୁ ତୁରନ୍ତ ହେପାଜତରୁ ମୁକ୍ତ କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି ।
ଅଟକ ଓ ଗିରଫ ମଧ୍ୟରେ କୃତ୍ରିମ ପାର୍ଥକ୍ୟ ସୃଷ୍ଟି କରି ତଦନ୍ତକାରୀ ସଂସ୍ଥା ଅତିରିକ୍ତ ସମୟ ନେଇପାରିବ ନାହିଁ । ତଦନ୍ତ ପାଇଁ ୨୪ ଘଣ୍ଟା ବାହାରେ କୌଣସି ସ୍ୱତନ୍ତ୍ର ସମୟ ରଖିବାକୁ ସମ୍ବିଧାନ ଅନୁମତି ଦିଏନାହିଁ । ଏଥିସହ BNS ର ଧାରା ୫୮ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ମଧ୍ୟ ଅଟକ ଅବଧି ଯୁକ୍ତିସଙ୍ଗତ ହେବା ଆବଶ୍ୟକ । ଅର୍ଥାତ୍ ୨୪ ଘଣ୍ଟା ପୂରଣ ହୋଇନଥିଲେ ମଧ୍ୟ ଅନାବଶ୍ୟକ ଭାବେ ଦୀର୍ଘ ସମୟ ଅଟକ ରଖିବାକୁ ନେଇ ମାଜିଷ୍ଟ୍ରେଟ୍ ପ୍ରଶ୍ନ ଉଠାଇପାରିବେ ଏବଂ ରିମାଣ୍ଡ ଆବେଦନ ଖାରଜ କରିପାରିବେ । ମାଜିଷ୍ଟ୍ରେଟମାନଙ୍କ ପାଇଁ ମଧ୍ୟ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।
ରିମାଣ୍ଡ ଆବେଦନ ବିଚାର କରିବା ସମୟରେ ବ୍ୟକ୍ତିଙ୍କୁ ପ୍ରକୃତରେ କେବେ ଓ କେତେବେଳେ ଅଟକ ରଖାଯାଇଥିଲା, ତାହା ରେକର୍ଡ କରିବାକୁ ପଡ଼ିବ । ଏହା ସହିତ ଅନୁଚ୍ଛେଦ ୨୨(୨)ର ନିୟମ ପାଳନ ହୋଇଛି କି ନାହିଁ, ତାହା ଯାଞ୍ଚ କରିବାକୁ ହେବ । ଏହି ରାୟରେ ଓଡ଼ିଶା ହାଇକୋର୍ଟଙ୍କ ଅରିୟମନ ପଟ୍ଟନାୟକ ମାମଲା, ମାଡ୍ରାସ ହାଇକୋର୍ଟଙ୍କ କନ୍ନନ ମାମଲା ଏବଂ କେରଳ ହାଇକୋର୍ଟଙ୍କ ଅରୁଣ କେ. ଥୋମାସ ମାମଲାରେ ଦିଆଯାଇଥିବା ସମ୍ପୃକ୍ତ ଆଇନଗତ ବ୍ୟାଖ୍ୟାକୁ ସୁପ୍ରିମକୋର୍ଟ ଭୁଲ୍ ବୋଲି ଦର୍ଶାଇଛନ୍ତି । ସେହିପରି ସୁଖବିନ୍ଦର ସିଂହ ଓରଫ୍ ଗୋରା ମାମଲାରେ ସମ୍ବିଧାନର ଅନୁଚ୍ଛେଦ ୨୧ ଏବଂ ଏନ୍ ଡିପିଏସ୍ ଆଇନର ଧାରା ୩୭ ସମ୍ପର୍କିତ କେତେକ ପର୍ଯ୍ୟବେକ୍ଷଣକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ ଉଠାଇଛନ୍ତି । ତେବେ ସମାନ ସ୍ତରର ଅନ୍ୟ ଏକ ଖଣ୍ଡପୀଠଙ୍କ ନିଷ୍ପତ୍ତି ଉପରେ କୌଣସି ଚୂଡ଼ାନ୍ତ ରାୟ ଦେଇନାହାନ୍ତି ।