ଭୁବନେଶ୍ୱର: ୧୮ରୁ ବିଧାନସଭାର ଅଷ୍ଟମ ଅଧିବେଶନ। ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ପାଇଁ ଘୋଷଣା । ଏନେଇ ବିଜ୍ଞପ୍ତି ଜାରି କଲା କମିଶନରେଟ୍ ପୋଲିସ୍ । ବିଧାନସଭା ଦେଇ ବା ସଂଲଗ୍ନ ରାସ୍ତାରେ ସର୍ବସାଧାରଣ ଯାତାୟତ ମନା । ବିଧାନସଭା ପରିସରରେ ସୁରକ୍ଷା ଦୃଷ୍ଟିରୁ କଟକଣା ଜାରି । ଜନସାଧାରଣଙ୍କ ନିରାପତ୍ତା ଏବଂ ସୁଗମ ଟ୍ରାଫିକ୍ ପରିଚାଳନା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି । ଏଥିପାଇଁ ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ଗତି କରିବେ ।
ସେହିପରି ଏ.ଜି. ଛକ ପଟୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବ ଭବନ ନିକଟସ୍ଥ ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଯିବେ । ମାଷ୍ଟର କ୍ୟାଣ୍ଟିନ୍ ଛକ ଠାରୁ ଆସୁଥିବା ଯାନବାହନ ଲୋୟର ପି.ଏମ୍.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ବ୍ୟବହାର କରିବେ । ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଥିବା ଯାନବାହନ ପାୱାର ହାଉସ୍ ଛକ ଦେଇ ଯିବେ ।
ଲୋକଭବନ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଅଭିମୁଖେ ଯାଉଥିବା ଯାନବାହନ ଶାସ୍ତ୍ରୀ ନଗର ଛକ ଦେଇ ଯିବେ । ଜରୁରୀ ସେବାରେ ନିୟୋଜିତ ଯାନବାହନ (ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ) ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ଅଧିକୃତ ଗାଡ଼ିଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ । ଅଧିବେଶନ ଚାଲିବା ସମୟ ଯାଏଁ ଏହି ନିୟମ ବଳବତ୍ତର ରହିବ ।