କାନପୁର : ଉତ୍ତରପ୍ରଦେଶର କାନପୁରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଫିଲଖାନା ଅଞ୍ଚଳର ପଟକାପୁରସ୍ଥିତ ରାଧିକା ଆପାର୍ଟମେଣ୍ଟରେ ସୋମବାର ଭୋର ସମୟରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ଆପାର୍ଟମେଣ୍ଟର ଏକାଧିକ ଫ୍ଲାଟକୁ ବ୍ୟାପି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ସୋମବାର ଭୋର ପ୍ରାୟ ୪ଟା ୩୦ ମିନିଟରେ ସର୍ଟ ସର୍କିଟ୍ ଯୋଗୁଁ ଆପାର୍ଟମେଣ୍ଟରେ ନିଆଁ ଲାଗିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଖବର ପାଇ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲା । ଏହାପରେ ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ଆପାର୍ଟମେଣ୍ଟ ଭିତରେ ଫସି ରହିଥିବା ୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।
ଏହି ଅଗ୍ନିକାଣ୍ଡରେ ୧୬ ବର୍ଷୀୟ ପ୍ରାଞ୍ଜଳ ବାଥମ ଏବଂ ୪୫ ବର୍ଷୀୟ ରାଖୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆପାର୍ଟମେଣ୍ଟ ଭିତରେ ରଖାଯାଇଥିବା ଏକାଧିକ ଗାଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି ।
ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ମୁତୟନ ହୋଇଛନ୍ତି ।