ଆଜିଠୁ ମୋଦିଙ୍କ ଫିଲିପାଇନ୍ସ ଗସ୍ତ, ବାଣିଜ୍ୟ ଓ ସୁରକ୍ଷା ଉପରେ ବଡ଼ ଆଲୋଚନା

0

ଆଜିଠୁ ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫିଲିପାଇନ୍ସର ରାଜଧାନୀ ମାନିଲାରେ ଆୟୋଜିତ ଆସିଆନ୍-ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଅବସରରେ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନେତାଙ୍କ ସହ କ୍ୱାଡ୍ ବୈଠକ ମଧ୍ୟ ହୋଇପାରେ । ମୋଦିଙ୍କ ଗସ୍ତରେ ବାଣିଜ୍ୟ, ପୁଞ୍ଜିନିବେଶ ଓ ସାମୁଦ୍ରିକ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ବିଶେଷକରି ସମୁଦ୍ରରେ ସୁରକ୍ଷା ବ୍ୟବସ୍ଥା ମଜଭୁତ କରିବା ଓ ଦେଶଗୁଡ଼ିକ ମଧ୍ୟରେ ବ୍ୟବସାୟ ବଢ଼ାଇବା ନେଇ ଆଲୋଚନା ହେବ ।

ଏହାସହ ବିଭିନ୍ନ ଦେଶର ନେତାଙ୍କ ସହ ମୋଦି ଅଲଗା ଅଲଗା ବୈଠକ କରିପାରନ୍ତି। ସେହିପରି ମୋଦି-ଟ୍ରମ୍ପ ଭେଟଘାଟକୁ ନେଇ ଚର୍ଚ୍ଚା ଚାଲିଛି। ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଜୁନିୟର ର ବିଶ୍ୱନେତାଙ୍କ ପାଇଁ ସ୍ୱତନ୍ତ୍ର ରାତ୍ରିଭୋଜନର ଆୟୋଜନ କରିବେ ।

ପୂର୍ବରୁ ଫିଲିପାଇନ୍ସରେ ଅନୁଷ୍ଠିତ ପ୍ରତିରକ୍ଷା ବୈଠକରେ ରାଜନାଥ ସିଂହ ଆତଙ୍କବାଦ ବିରୋଧରେ ଭାରତର କଡ଼ା ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଅପରେସନ୍ ସିନ୍ଦୂର ମାଧ୍ୟମରେ ଭାରତ ଆତଙ୍କବାଦ ବିରୋଧରେ କଡ଼ା ବାର୍ତ୍ତା ଦେଇଥିବା ସେ କହିଥିଲେ। ଆସିଆନ୍ ଦେଶଗୁଡ଼ିକ ସହ ପ୍ରତିରକ୍ଷା ସମ୍ପର୍କ ବଢ଼ାଇବାକୁ ମଧ୍ୟ ଭାରତ ଚାହୁଁଛି । ଡ୍ରୋନ୍, ହେଲିକପ୍ଟର, ରାଡାର ଓ ଅନ୍ୟାନ୍ୟ ସାମରିକ ଉପକରଣ କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଭାରତ ପ୍ରସ୍ତୁତ ରହିଛି ।

ବର୍ତ୍ତମାନ ଭାରତ ଓ ଆସିଆନ୍ ଦେଶଗୁଡ଼ିକ ମଧ୍ୟରେ ବର୍ଷକୁ ପ୍ରାୟ ୧୨୨ ବିଲିୟନ୍ ଡଲାରର ବାଣିଜ୍ୟ ହେଉଛି। ଏହାକୁ ଆହୁରି ବଢ଼ାଇବା ଉପରେ ଆଲୋଚନା ହୋଇପାରେ। ବିଶ୍ୱରେ ବଦଳୁଥିବା ପରିସ୍ଥିତି ମଧ୍ୟରେ ମୋଦିଙ୍କ ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ କହାଯାଉଛି ।

Leave A Reply

Your email address will not be published.