ଉପକୂଳ ସୁରକ୍ଷା ପାଇଁ ନୂଆ ପ୍ରକଳ୍ପ, ଓଡ଼ିଶା ବେଳାଭୂମିରେ ଲାଗିବ କ୍ୟାମେରା

0

ଭୁବନେଶ୍ୱର:  ଓଡ଼ିଶାର ସମୁଦ୍ର ଉପକୂଳରେ ସ୍ଥାପନ କରାଯିବ ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା । ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଓ ସାମୁଦ୍ରିକ ସତର୍କ ସୂଚନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଷ୍ପତ୍ତି । ଏହି ପ୍ରକଳ୍ପ ଅଧୀନରେ ଉପକୂଳର ବିଭିନ୍ନ ସ୍ଥାନରେ କ୍ୟାମେରା ଆଧାରିତ ନିରୀକ୍ଷଣ ବ୍ୟବସ୍ଥା ସ୍ଥାପନ କରାଯିବ

ଏହା ସହିତ ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର ବା ଇନକୋଇସର ଏକ ଆଞ୍ଚଳିକ କେନ୍ଦ୍ର ମଧ୍ୟ ଓଡ଼ିଶାରେ ପ୍ରତିଷ୍ଠା କରାଯିବ । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଏହି ବ୍ୟବସ୍ଥା ମାଧ୍ୟମରେ ସମୁଦ୍ର ଓ ଉପକୂଳ ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ ।

ସାମୁଦ୍ରିକ ଝଡ଼, ସମୁଦ୍ରର ଅଶାନ୍ତ ଅବସ୍ଥା ଓ ଅନ୍ୟାନ୍ୟ ଉପକୂଳୀୟ ବିପଦ ସମ୍ପର୍କରେ ପୂର୍ବସୂଚନା ଓ ସତର୍କତା ବ୍ୟବସ୍ଥାକୁ ଏହା ସହାୟତା କରିବ ବୋଲି ଆଶା କରାଯାଉଛି । ବିଶେଷକରି ବାତ୍ୟା ସମୟରେ ସମୁଦ୍ର ଢେଉର ପ୍ରଭାବ, ବେଳାଭୂମିର ପରିବର୍ତ୍ତନ ଓ ଉପକୂଳ କ୍ଷୟ ସମ୍ପର୍କିତ ତଥ୍ୟ ସଂଗ୍ରହରେ ଏଭଳି ପ୍ରଯୁକ୍ତି ସହାୟକ ହୋଇପାରିବ । ସଂଗୃହୀତ ତଥ୍ୟ ସାମୁଦ୍ରିକ ଗବେଷଣା, ଉପକୂଳ ପରିଚାଳନା ଏବଂ ବିପର୍ଯ୍ୟୟ ପ୍ରସ୍ତୁତିରେ ଉପଯୋଗ କରାଯାଇପାରିବ ।

ଏହି ପ୍ରକଳ୍ପ ପାଇଁ ଖୁବ୍ ଶୀଘ୍ର ଇନକୋଇସ୍ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହେବ । ତେବେ କେଉଁ କେଉଁ ବେଳାଭୂମିରେ କ୍ୟାମେରା ସ୍ଥାପନ ହେବ, ମୋଟ କେତେ କ୍ୟାମେରା ଲାଗିବ, ପ୍ରକଳ୍ପର ଖର୍ଚ୍ଚ କେତେ ହେବ ଏବଂ କେବେଠାରୁ ଏହା କାର୍ଯ୍ୟକ୍ଷମ ହେବ, ସେନେଇ ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇନାହିଁ ।

Leave A Reply

Your email address will not be published.