ଝାଡ଼ଖଣ୍ଡ: ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଦୁଇଟି ମୋଟରସାଇକେଲ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ୧୭ ବର୍ଷୀୟ ନାବାଳକ ମଧ୍ୟ ରହିଛନ୍ତି ।
ସୂଚନା ଅନୁଯାୟୀ, ଶନିବାର ରାତିରେ ଖୁଣ୍ଟି ଜିଲ୍ଲାର ରନିଆ ଥାନା ଅଞ୍ଚଳର ତୁରିଗଡ଼ା ଗାଁ ନିକଟ ରନିଆ-ମାର୍ଚ୍ଚା ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ଗୋଟିଏ ବାଇକରେ ତିନି ଜଣ ରନିଆ ପଟୁ ଆସୁଥିବାବେଳେ ଅନ୍ୟ ବାଇକରେ ଦୁଇ ଜଣ ମାର୍ଚ୍ଚା ପଟୁ ଆସୁଥିଲେ। ଏହି ସମୟରେ ଦୁଇଟି ବାଇକ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା । ଫଳରେ ଦୁର୍ଘଟଣାରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କର ତୋର୍ପା ହସ୍ପିଟାଲରେ ଏବଂ ଆଉ ଜଣଙ୍କର ରାଞ୍ଚି ନେବା ବାଟରେ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଆହତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ମୃତକଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିଛି । ସେମାନେ ହେଲେ ହେମନ୍ତ ବାହାଦୁର (୨୧) ଏବଂ ବିଶ୍ୱ ସିଂହ (୧୭)। ଉଭୟ ରନିଆ ଥାନା ଅନ୍ତର୍ଗତ ବନବୀରା ନୱାଟୋଲି ଗାଁର ବାସିନ୍ଦା । ଅନ୍ୟ ଦୁଇ ମୃତକଙ୍କ ପରିଚୟ ଏଯାଏଁ ମିଳିନାହିଁ । ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଖୁଣ୍ଟି ସଦର ହସ୍ପିଟାଲକୁ ପଠାଇଛି। ଏହା ସହିତ ଦୁର୍ଘଟଣାର କାରଣ ଜାଣିବାକୁ ନେଇ ତଦନ୍ତ ଜାରି ରହିଛି ।