୬ ବର୍ଷ ପରେ ପୁଣି ଏକାଠି ବିଜେପି-ଅକାଳୀ ଦଳ , ମିଳିତ ଭାବେ ଲଢ଼ିବେ ୨୦୨୭ ପଞ୍ଜାବ ନିର୍ବାଚନ
ପଞ୍ଜାବ ରାଜନୀତିରେ ବଡ଼ ରାଜନୈତିକ ହଲଚଲ । ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ପୁଣିଥରେ ଏକାଠି ହୋଇଛନ୍ତି ବିଜେପି ଓ ଶିରୋମଣି ଅକାଳୀ ଦଳ । ଆଗାମୀ ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ଉଭୟ ଦଳ ମିଳିତ ଭାବେ ଲଢ଼ିବେ ବୋଲି ଆନୁଷ୍ଠାନିକ ଘୋଷଣା ହୋଇଛି । ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂହ ବାଦଲ ଉପସ୍ଥିତ ଥିଲେ ।
୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ତିନିଟି କୃଷି ଆଇନକୁ ବିରୋଧ କରି ଅକାଳୀ ଦଳ ଏନଡିଏ ମେଣ୍ଟରୁ ଓହରି ଯାଇଥିଲା । ଏହା ସହିତ ଦଳର ନେତ୍ରୀ ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ । ପରେ କେନ୍ଦ୍ର ସରକାର କୃଷି ଆଇନ ପ୍ରତ୍ୟାହାର କରିଥିଲେ ମଧ୍ୟ ଦୁଇ ଦଳ ମଧ୍ୟରେ ମେଣ୍ଟ ହୋଇପାରିନଥିଲା । ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଉଭୟ ଦଳ ପୃଥକ୍ ଭାବେ ନିର୍ବାଚନ ଲଢ଼ିଥିଲେ । ୧୧୭ ଆସନ ବିଶିଷ୍ଟ ବିଧାନସଭାରେ ଅକାଳୀ ଦଳ ମାତ୍ର ୩ଟି ଓ ବିଜେପି ୨ଟି ଆସନ ଜିତିଥିଲା ।
ଉଲ୍ଲେଖଯୋଗ୍ୟ, ବିଜେପି ଓ ଶିରୋମଣି ଅକାଳୀ ଦଳ ଦୀର୍ଘଦିନ ଧରି ରାଜନୈତିକ ସହଯୋଗୀ ଭାବେ କାମ କରିଆସିଛନ୍ତି । ୧୯୯୭ ମସିହାରେ ଉଭୟ ଦଳ ମଧ୍ୟରେ ଆନୁଷ୍ଠାନିକ ମେଣ୍ଟ ଗଠନ ହୋଇଥିଲା । ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପୁଣି ମେଣ୍ଟ ଗଠନ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଆସନ ବଣ୍ଟନ ଓ ଅନ୍ୟାନ୍ୟ ସର୍ତ୍ତରେ ସହମତି ହୋଇପାରିନଥିଲା ।