ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ ଝଟକା , ୧୬ଟି ଦେଶକୁ ଟାର୍ଗେଟ୍ କରି ପ୍ରସ୍ତୁତି

0

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତ ସମେତ ୧୬ଟି ଦେଶ ଉପରେ ନୂଆ ଟାରିଫ୍ ଲଗାଇବା ନେଇ ପ୍ରସ୍ତୁତି କରୁଛି । ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ ପକ୍ଷରୁ ଶିଳ୍ପ କ୍ଷେତ୍ରରେ ଅତ୍ୟଧିକ ଉତ୍ପାଦନ ଓ ସରକାରୀ ସବ୍‌ସିଡିକୁ ନେଇ ଆରମ୍ଭ ହୋଇଥିବା ତଦନ୍ତର ରିପୋର୍ଟ ଖୁବ୍‌ଶୀଘ୍ର ଆସିପାରେ । ଏହାପରେ ନୂଆ ଆମଦାନୀ କର ଲାଗୁ କରିବା ପାଇଁ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି ।

ଏହା ଅନୁସାରେ, ଭାରତ, ଚୀନ୍, ଜାପାନ, ଦକ୍ଷିଣ କୋରିଆ, ଭିଏତନାମ, ଥାଇଲାଣ୍ଡ, ମାଲେସିଆ, ଇଣ୍ଡୋନେସିଆ, ବାଂଲାଦେଶ ଓ ୟୁରୋପୀୟ ସଂଘ ସମେତ ୧୬ଟି ଅର୍ଥନୀତି ଏହି ତଦନ୍ତ ପରିସରରେ ରହିଛନ୍ତି । ଆମେରିକାର ଅଭିଯୋଗ ହେଉଛି, ଅନ୍ୟ ଦେଶଗୁଡ଼ିକରେ ସରକାରୀ ସହାୟତା ଯୋଗୁଁ ଅଧିକ ଉତ୍ପାଦନ ହେଉଛି । ଫଳରେ ଶସ୍ତା ସାମଗ୍ରୀ ଆମେରିକା ବଜାରକୁ ଆସି ସେଠାକାର ଶିଳ୍ପକୁ କ୍ଷତି ପହଞ୍ଚାଉଛି ।

କେଉଁ ସେକ୍ଟର ଉପରେ ପଡ଼ିବ ପ୍ରଭାବ ?

ନୂଆ ଶୁଳ୍କ ଲାଗୁ ହେଲେ ଭାରତର ଅନେକ ରପ୍ତାନି କ୍ଷେତ୍ର ପ୍ରଭାବିତ ହୋଇପାରେ।

୧. ଟେକ୍ସଟାଇଲ୍ ଓ ପୋଷାକ: ଆମେରିକାକୁ ପୋଷାକ ରପ୍ତାନି ମହଙ୍ଗା ହେବା ସହ ପ୍ରତିଯୋଗିତା ବଢ଼ିପାରେ ।
୨. ଇଲେକ୍ଟ୍ରୋନିକ୍ସ: ମୋବାଇଲ୍ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ସାମଗ୍ରୀ ରପ୍ତାନିକାରୀଙ୍କ ଖର୍ଚ୍ଚ ବଢ଼ିପାରେ ।
୩. ଇଞ୍ଜିନିୟରିଂ ସାମଗ୍ରୀ: ମେସିନ୍, ଯନ୍ତ୍ରାଂଶ ଓ ଶିଳ୍ପ ଉପକରଣ ରପ୍ତାନି ପ୍ରଭାବିତ ହୋଇପାରେ ।
୪. ରତ୍ନ ଓ ଅଳଙ୍କାର: ହୀରା ଓ ଗହଣା ବ୍ୟବସାୟୀଙ୍କ ଲାଭ ଉପରେ ଚାପ ପଡ଼ିପାରେ ।
୫. ରାସାୟନିକ ଶିଳ୍ପ: ଭାରତୀୟ ରାସାୟନିକ ଉତ୍ପାଦର ଆମେରିକା ବଜାରରେ ଚାହିଦା ପ୍ରଭାବିତ ହୋଇପାରେ ।

ତେବେ ଷ୍ଟିଲ୍, ଆଲୁମିନିୟମ୍ ଓ ଅଟୋମୋବାଇଲ୍ ଭଳି କିଛି ଉତ୍ପାଦ ଉପରେ ପୂର୍ବରୁ ଅଲଗା ଶୁଳ୍କ ଲାଗୁ ଥିବାରୁ ନୂଆ ଯୋଜନାରେ ସେଗୁଡ଼ିକର ସ୍ଥିତି ଭିନ୍ନ ହୋଇପାରେ ।

ବର୍ତ୍ତମାନ ସୁଦ୍ଧା ନୂଆ ଶୁଳ୍କର ନିର୍ଦ୍ଦିଷ୍ଟ ହାର ଘୋଷଣା ହୋଇନାହିଁ । ରଏଟର୍ସ ଅନୁସାରେ, ତଦନ୍ତ ରିପୋର୍ଟ ପରେ ପ୍ରସ୍ତାବ ଆସିବ ଏବଂ ଏହା ଉପରେ ଆଲୋଚନା ଓ ଶୁଣାଣି ହେବ । ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ପ୍ରାୟ ୪୫ ଦିନ ଲାଗିପାରେ । ଏହା ପୂର୍ବରୁ ଜୁଲାଇ ୨୦୨୬ରେ ଆମେରିକା ଭାରତୀୟ ସାମଗ୍ରୀ ଉପରେ ବଳପୂର୍ବକ ଶ୍ରମ ସମ୍ବନ୍ଧୀୟ ତଦନ୍ତ ଆଧାରରେ ଅତିରିକ୍ତ ୧୦ ପ୍ରତିଶତ ଶୁଳ୍କ ଲଗାଇଥିଲା । ଏବେ ନୂଆ ଟାରିଫ୍ ଲାଗୁ ହେଲେ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ଉପରେ ଏହାର ପ୍ରଭାବ ପଡ଼ିପାରେ । ତେଣୁ ଟ୍ରମ୍ପ ପ୍ରଶାସନର ଆଗାମୀ ଘୋଷଣାକୁ ଭାରତୀୟ ଶିଳ୍ପ ଜଗତ ଅପେକ୍ଷା କରିଛି ।

Leave A Reply

Your email address will not be published.