ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ଲଢେଇ ଜୋରଦାର ହେବ। ତିନି ପ୍ରମୁଖ ଦଳ ବିଜେଡ଼ି, ବିଜେପି, କଂଗ୍ରେସ ଓ ସ୍ଵାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଲଢେ଼ଇ ଜୋରଦାର ହେବ। କେହି କାହାକୁ ନିର୍ବାଚନୀ ଯୁଦ୍ଧ କ୍ଷେତ୍ରରେ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି | ଏହି ନିର୍ବାଚନ ମଣ୍ଡଳୀରୁ ୨୦୧୯ ରେ ବିଜେପି ଦଖଲରେ ଥିଲା। ଏଠାରୁ ବିଷ୍ଣୁ ସେଠୀ ବିଧାୟକ ଥିଲେ। ବିଷ୍ଣୁଙ୍କୁ ଅକାଳ ବିୟୋଗରେ ଏହି ଆସନଟି ଖାଲି ପଡିଥିଲା। ଏଥିପାଇଁ ହେଉଥିବା ଉପ ନିର୍ବାଚନରେ ବିଜେପି ଓ ବିଜେଡ଼ି ମଧ୍ୟରେ କଡା ମୁକାବିଲା ହେବାକୁ ଥିଲା। ମାତ୍ର ବିଜେଡ଼ି ଦଳର ଆଶାୟୀ ପ୍ରାର୍ଥୀ ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ ଟିକଟରୁ ବଞ୍ଚିତ କରିବା ପରେ ବିଜେଡ଼ି ରାଜନୀତି ଏଠି ଅଡ଼ୁଆ ହୋଇଛି। ରାଜୁ ସ୍ଵାଧୀନରେ ପ୍ରାର୍ଥୀ ହୋଇଥିବାବେଳେ ଏହା ବିଜେଡ଼ି ଦଳ ପାଇଁ ଚିନ୍ତାର କାରଣ ହୋଇଛି।
ରାଜୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ପାଇଁ ଦଳ ତରଫରୁ ବହୁ ଚାପ ପଡିଥିଲା। ମାତ୍ର ରାଜୁ ଏହାକୁ ମାନିନଥିଲେ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖର ଶେଷ ଦିନ ଥିଲା। ଗତକାଲି ରାତି ସୁଦ୍ଧା ରାଜୁଙ୍କ ଉପରେ ବିଜେଡ଼ି ଦଳର ବଡ଼ ବଡ ନେତାମାନେ ଚାପ ପକାଇବା ସହ ବିଭିନ୍ନ ପଦପଦବୀର ଅଫର ଦେଇଥିଲେ। ମାତ୍ର ରାଜୁ ନିଜ ମାଟିର ସ୍ୱାଭିମାନ ପାଇଁ କାହା ପାଖରେ ବିକ୍ରି ହେବେ ନାହିଁ ବୋଲି ରୋକଠୋକ ଭାବରେ କହିଥିଲେ। ଆଜି ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କୁ ନୌକା ଚିହ୍ନ ମିଳିଛି। ନୌକା ଚିହ୍ନକୁ ନେଇ ନିର୍ବାଚନର ନାଆ ବହିବେ ବୋଲି ରାଜୁଙ୍କ ସମର୍ଥକମାନେ କହିଛନ୍ତି। ଧାମନଗର ଉପନିର୍ବାଚନ ବୈତରଣୀ ପାଇଁ ନୌକା ଚିହ୍ନକୁ ନେଇ ଆସନ୍ତାକାଲିଠାରୁ ରାଜୁ ନିଜର ନିର୍ବାଚନୀ ପ୍ରଚାରକୁ ଜୋରଦାର କରିବେ ବୋଲି ଜଣାପଡିଛି।