ବ୍ରିଟେନର ଆଗାମୀ ପ୍ରଧାନମନ୍ତ୍ରୀ କିଏ? ରୁଷି ସୁନକଙ୍କୁ ୧୦୦ ସାଂସଦଙ୍କ ସମର୍ଥନ
ଲଣ୍ଡନ (ଆମ ଟିଭି): ପ୍ରଧାନମନ୍ତ୍ରୀ ପଦରୁ ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନ୍ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କିଏ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ? ତାକୁ ନେଇ ପୁଣି ଆରମ୍ଭ ହୋଇଛି ରାଜନୀତି । ବର୍ତ୍ତମାନ ଭାରତୀୟ ବଂଶୋଦ୍ଭବ ରୁଷି ସୁନକ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଅଛନ୍ତି। ଗତଥର ବିଫଳ ହୋଇଥିବା ରୁଷିଙ୍କୁ ଚଳିତ ଥର ପ୍ରଥମ ପର୍ୟ୍ୟାୟରେ ହିଁ ସଫଳତା ହାସଲ ହୋଇଛି। ତାଙ୍କୁ ମିଳିଛି ମ୍ୟାଜିକ୍ ନମ୍ବର। ରୁଷି ସୁନକଙ୍କୁ ପ୍ରଥମ ପର୍ୟ୍ୟାୟରେ ୧୦୦ ସାଂସଦଙ୍କ ସମର୍ଥନ ହାସଲ ହୋଇଛି । ବ୍ରିଟିଶ ସଂସଦରେ କଞ୍ଜରଭେଟିଭ୍ ପାର୍ଟିର ମୋଟ ୩୫୭ ସାଂସଦ ଅଛନ୍ତି।ସୁନକ ଦେଶର ପ୍ରଧାନମନ୍ତ୍ରୀ ଏବଂ କଞ୍ଜରଭେଟିଭ୍ ପାର୍ଟିର ନେତା ଭାବେ ଟ୍ରସଙ୍କ ସ୍ଥାନ ନେବାକୁ ଦୌଡ଼ରେ ରହିଛନ୍ତି। ଅନ୍ୟପକ୍ଷେ କ୍ୟାରବିଆଇ ଦେଶରେ ଛୁଟି ମନାଉଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଏହି ଦୌଡରେ ସାମିଲ୍ ହେବା ପାଇଁ ସ୍ଵଦେଶ ଫେରିଛନ୍ତି।
୪୨ ବର୍ଷୀୟ ସୁନକଙ୍କ ସମର୍ଥକ ସାଂସଦଙ୍କ ସଂଖ୍ୟା ଲଗାତାର ବଢିବାରେ ଲାଗିଛି। ସୁନକ ଏବଂ ଜନସନଙ୍କ ମଧ୍ୟରୁ ଏ ପର୍ୟ୍ୟନ୍ତ କେହି ବି ପାର୍ଟିର ନେତା ହେବା ପାଇଁ ନିର୍ବାଚନ ଲଢିବା ନେଇ ଆନୁଷ୍ଠନିକ ଘୋଷଣା କରିନାହାନ୍ତି। ଏ ପର୍ୟ୍ୟନ୍ତ ଲିଡର ଅଫ କମନ୍ସର ପେନ୍ନି ମୋର୍ଡାଣ୍ଟ ଏକ ମାତ୍ର ବ୍ୟକ୍ତି ଯିଏ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛନ୍ତି। ପୂର୍ବତନ ଅର୍ଥ ମନ୍ତ୍ରୀ ସୁନକଙ୍କୁ ଟୋରି ପାର୍ଟିର କିଛି ମନ୍ତ୍ରୀ ଏବଂ ଟୋରି ପାର୍ଟିର ଭିନ୍ନ ଭିନ୍ନ ଗୋଷ୍ଠୀର କିଛି ସାଂସଦଙ୍କ ସମର୍ଥନ ମିଳିଛି। ବ୍ରିଟେନ୍ର ପ୍ରମୁଖ ସମାଚାର ଆଉଟଲେଟ୍ ମୁତାବକ, ରୁଷିଙ୍କ ପାଖରେ ୧୦୦ ସମର୍ଥକ ଅଛନ୍ତି । ଏଥିପାଇଁ ଜନ୍ସନ୍ ଓ ତାଙ୍କ ମଧ୍ୟରେ ଭୋଟିଂ ହୋଇପାରେ ବୋଲି ବୋରିସ ଜନ୍ସନଙ୍କ ଜଣେ ନିକଟ ଲୋକ କହିଛନ୍ତି ।