ଧାମନଗର (ଆମ ଟିଭି): ଉପନିର୍ବାଚନ ଟ୍ରେଣ୍ଡ ଭଙ୍ଗିଲା ବିଜେପି। ଧାମନଗର ଉପନିର୍ବାଚନରେ ବାଜିମାତ କଲା ବିଜେପି। ଧାମନଗରବାସୀଙ୍କୁ ମିଳିଲେ ନୂଆ ବିଧାୟକ । ବିଜୟୀ ହେଲେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ସୂରଜ ସୂର୍ଯ୍ୟବଂଶୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କଠାରୁ ୯ ହଜାର ୮୮୧ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ସୂରଜଙ୍କୁ ୮୦ ହଜାର ୩୫୧ ଭୋଟ ମିଳିଥିବାବେଳେ ଅବନ୍ତୀଙ୍କୁ ମିଳିଛି ୭୦ ହଜାର ୪୭୦ ଭୋଟ୍ । ତେବେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ପାଇଛନ୍ତି ୮ହଜାର ୧୫୩ ଭୋଟ । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କୁ ମିଳିଛି ମାତ୍ର ୩୫୬୧ ଖଣ୍ଡ ଭୋଟ ।
୨୦୧୯ରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀ ଯେତିକି ଭୋଟ ପାଇଥିଲେ ତାଠୁ ଅଧିକ ଭୋଟ ପାଇଛନ୍ତି ସୂରଜ । ଭୋଟ ବ୍ୟବଧାନ ମଧ୍ୟ ଅଧିକ ହୋଇଛି । ଏଥିସହ ବିଜେଡିର ଉପ ନିର୍ବାଚନ ବିଜୟଧାରାରେ ବ୍ରେକ ଲାଗିଛି । ବିଜୟୀ ହେବା ପରେ ଧାମନଗରବାସୀଙ୍କୁ ଶ୍ରେୟ ଦେଇଛନ୍ତି ସୂରଜ ସୂର୍ଯ୍ୟବଂଶୀ । କହିଛନ୍ତି ଏହି ବିଜୟ ଧାମନଗରବାସୀଙ୍କର, ସେ ନିମିତ୍ତ ମାତ୍ର । ଅନ୍ୟପଟେ ସୂରଜଙ୍କୁ ଶୁଭେଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।