ଗିରଫ ହେଲେ ଆଇନଜୀବୀ
ସମ୍ବଲପୁର : ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଲା ଆନ୍ଦୋଳନ । ବିଚାରପତିଙ୍କ ଚାମ୍ବରରେ ପଶି ଭଙ୍ଗାରୁଜା କରିବା ଘଟଣାରେ ୧୨ ଜଣଙ୍କୁ ବାନ୍ଧିଛି ସମ୍ବଲପୁର ପୁଲିସ୍। ସେମାନଙ୍କ ମଧ୍ୟରୁ ଜାମିନ ନାମଞ୍ଜୁର ହେବାରୁ ୯ ଜଣଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଆଗକୁ ଗିରଫଦାରୀ ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍ପି ବି. ଗଙ୍ଗାଧର ।
ଏଥିସହ ଆନ୍ଦୋଳନସ୍ଥଳ କଚେରି ଛକରେ ୧୪୪ ଧାରା ଲାଗୁ କରାଯାଇଛି। ଆନ୍ଦୋଳନସ୍ଥଳରେ ୨ଶହ ମିଟର ପରିସର ମଧ୍ୟରେ ପ୍ରବେଶ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଘଟଣାକୁ ନେଇ ତୁମ୍ବିତୋଫାନ ହେବା ସହ ରାଜ୍ୟ ପୁଲିସ୍କୁ କଡ଼ା ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ଏହାପରେ ସମ୍ବଲପୁର ପୁଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗତକାଲି ରାତିରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ହିଂସାକାଣ୍ଡ ଘଟାଇଥିବା କାହାକୁ ଛଡ଼ା ଯିବିନ । କୋର୍ଟ ପରିସରରେ ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ଗିରଫଦାରୀକୁ ଆହୁରି ବଢ଼ାଯିବ ବୋଲି କହିଛନ୍ତି ସମ୍ବଲପୁର ଏସ୍ପି ବି. ଗଙ୍ଗାଧର ।
ଓକିଲଙ୍କ ଗିରଫଦାରୀ ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ବଲପୁର ସହରରେ ୨୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ କେବଳ କୋର୍ଟ ପରିସରରେ ୧୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ କଚେରି ଛକରେ ୧୪୪ ଧାରା ଜାରି କରାଯାଇ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । ଆବଶ୍ୟକ ପଡିଲେ ଅଧିକ ସଂଖ୍ୟକ ପୁଲିସ ମୁତୟନ କରାଯିବ ବୋଲି ସମ୍ବଲପୁର ଏସପି କହିଛନ୍ତି ।
ସମ୍ବଲପୁରରେ ହାଇକୋର୍ଟ ପ୍ରତିଷ୍ଠା ଦାବିକୁ ନେଇ ଓକିଲମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଳାଇ ଆସିଥିବା ବେଳେ ଗତକାଲି ଏହା ତୀବ୍ର ରୂପ ଧାରଣ କରିଥିଲା। ବହୁ ସଂଖ୍ୟାରେ ଓକିଲ ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏହି ଅଭିଯୋଗରେ ସମ୍ବଲପୁର ଜିଲ୍ଲା ବାର ଆସୋସିଏସନର ୨୯ ଜଣ ଆଇନଜୀବୀଙ୍କ ଲାଇସେନ୍ସ ସସ୍ପେଣ୍ଡ କରିଛି ବାର୍ କାଉନ୍ସିଲ୍ ଅଫ ଇଣ୍ଡିଆ । ସେମାନଙ୍କ ଲାଇସେନକୁ ଆସନ୍ତା ୧୮ ମାସ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । ଏନେଇ ପ୍ରେସ୍ ବିଜ୍ଞପ୍ତିରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ବାର୍ ଆସୋସିଏସନର ସମସ୍ତ ଓକିଲଙ୍କ ଲାଇସେନ୍ସକୁ ସାମୟିକ ଭାବେ ସସ୍ପେଣ୍ଡ କରାଯାଇଛି ।