ଭୁବନେଶ୍ବର(ଆମ ଟିଭି): ଲୋକସେବା ଭବନ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ । ଏଭଳି ଉଦ୍ୟମ କରିଛନ୍ତି ଜଣେ ବୃଦ୍ଧ । ବୃଦ୍ଧଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ବୃଦ୍ଧ ବ୍ୟକ୍ତିଙ୍କ ନାଁ ରବୀନ୍ଦ୍ର ଦାସ ଓ ତାଙ୍କ ଘର ଜଗତସିଂହପୁର ଜିଲା ରଘୁନାଥପୁର ବୋଲି ଜଣାପଡ଼ିଛି। ତେବେ ବାରମ୍ବାର ଅଭିଯୋଗ ସତ୍ତ୍ବେ ପୁଲିସ ଏତଲା ନ ରଖିବାରୁ ସେ ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି।
ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ୭୫ ବର୍ଷୀୟ ରବୀନ୍ଦ୍ର ଏକ ଚିଠିରେ ଲେଖିଛନ୍ତି ଯେ, ତାଙ୍କର ଭୁବନେଶ୍ବର କଳିଙ୍ଗବିହାରଠାରେ ୫ଲକ୍ଷ ୧୨ ହଜାର ୮୦୦ ଟଙ୍କା ବିନିଯୋଗରେ ଏକ ବିଉଟିପାର୍ଲର ଅଛି। ପାର୍ଲର ଖୋଲିବା ପାଇଁ ସେ ସତ୍ୟବ୍ରତ ବେହେରାଙ୍କଠାରୁ ଘର ଭଡ଼ା ନେଇଥିଲେ। ଏହି ପାର୍ଲରରେ ଅଜୟ ବାରିକ ନାଁରେ ଜଣେ କେଶକଟା କାରିଗର ଥିଲେ। ମାତ୍ର ରବୀନ୍ଦ୍ରଙ୍କ ବାର୍ଦ୍ଧକ୍ୟତାର ଫାଇଦା ଉଠାଇ ରଂଜନ ବାରିକ ନାଁରେ ଜଣେ ବ୍ୟକ୍ତି ଓ ଘରର ମାଲିକ ସତ୍ୟବ୍ରତ ବେହେରାଙ୍କ ସହଯୋଗରେ ଅଜୟ ବାରିକ ପାର୍ଲରଟିକୁ ବଳପୂର୍ବକ ନେଇଯିବାର ଯୋଜନା କରିଥିଲେ।